ଡାକ୍ତର ଏମ୍‌ ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଡାକ୍ତର ଏମ୍‌ ଶ୍ରୀନିବାସ ଦିଲ୍ଲୀ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ)ର ପରବର୍ତ୍ତୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୫ ବର୍ଷ ରହିବ। ଡାକ୍ତର ରଣଦୀପ ଗୁଲେରିଆଙ୍କ ସ୍ଥାନ‌ରେ ଏମ୍‌ ଶ୍ରୀନିବାସ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ଏମ୍ସର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ଏମ୍‌ ଶ୍ରୀନିବାସଙ୍କ ନାମକୁ କ୍ୟାବିନେଟ୍‌ ନିଯୁକ୍ତି କମିଟି ସ୍ବୀକୃତି ଦେଇଛନ୍ତି।

ଡାକ୍ତର ଶ୍ରୀନିବାସ ଏବେ ହାଇଦ୍ରାବାଦର ଇଏସଆଇସି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍‌ ଅଛନ୍ତି। ହାଇଦ୍ରାବାଦ ହସ୍ପିଟାଲରେ ଡିନ୍‌ ରହିବା ପୂର୍ବରୁ ଡାକ୍ତର ଶ୍ରୀନିବାସ ଦିଲ୍ଲୀ ଏମ୍ସର ପେଡିଆଟ୍ରିକ୍‌ ସର୍ଜରି ବିଭାଗର ପ୍ରଫେସର ଥିଲେ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଡାକ୍ତର ଶ୍ରୀନିବାସଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ଅନ୍ୟପକ୍ଷେ ଡାକ୍ତର ଗୁଲେରିଆଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଗୁଲେରିଆ ମାର୍ଚ୍ଚ ୨୮,୨୦୧୭ରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ପଦରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୨ ଥର ବୃଦ୍ଧି କରାଯାଇଛି। ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ବୃଦ୍ଧି ସମୟ‌ ଆଜି ଶେଷ ହୋଇଛି।

ସମ୍ବନ୍ଧିତ ଖବର