୩୫ ଟଙ୍କାରେ ମିଳିବ ଡଃ ରେଡ୍ଡିସର କରୋନା ଔଷଧ ମଲନୁପିରାଭିର୍  

ନୂଆଦିଲ୍ଲୀ : ଭାରତୀୟ ଫାର୍ମା କମ୍ପାନି ଡ. ରେଡ୍ଡିସ୍ ଲାବ ପକ୍ଷରୁ କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ମଲନୁପିରାଭିର କ୍ୟାପସୁଲ ବଜାରକୁ ଛଡ଼ାଯାଇଛି । ଏହି କ୍ୟାପସୁଲର ବ୍ରାଣ୍ଡ ନାମ ରଖାଯାଇଛି ମୋଲଫ୍ଲୁ ।

ଏହି କ୍ୟାପସୁଲର ମୂଲ୍ୟ ରଖାଯାଇଛି ୩୫ ଟଙ୍କା । ଗୋଟିଏ ଷ୍ଟ୍ରିପରେ ୧୦ଟି କ୍ୟାପସୁଲ ରହିଛି । କରୋନା ଚିକିତ୍ସା ପାଇଁ ୫ ଦିନରେ ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସ ପୂରଣ କରିବାକୁ ପଡ଼ିବ । ଏହି ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସର ମୂଲ୍ୟ ୧୪୦୦ ଟଙ୍କା ରଖାଯାଇଛି । ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ଏହି କ୍ୟାପସୁଲ ଉପଲବ୍ଧ ହେବ । ତେବେ ଅଧିକ କୋଭିଡ ସଂକ୍ରମଣ ଥିବା ରାଜ୍ୟଗୁଡ଼ିକୁ ଯଥାଶୀଘ୍ର ଏହି ଔଷଧ ଯୋଗାଣ ଉପରେ କମ୍ପାନି ଗୁରୁତ୍ବ ଦେଉଛି । ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଏମଏସଡିର ଚୁକ୍ତି ମାଧ୍ୟମରେ ଡଃ ରେଡ୍ଡୀ ଭାରତରେ ଏହି ଔଷଧର ଉତ୍ପାଦନ କରୁଛି । ଭାରତ ସମେତ ୧୦୦ଟି ଗରିବ ଓ ବିକାଶଶୀଳ ଦେଶକୁ ଏହି ଔଷଧ ରପ୍ତାନି ପାଇଁ କମ୍ପାନି ଚୁକ୍ତିବଦ୍ଧ ହୋଇଛି ।

ଦେଶର ଆଉ ଏକ ଫାର୍ମା କମ୍ପାନି ମାନକାଇଣ୍ଡ ପକ୍ଷରୁ ମଲନୁପିରାଭିର କ୍ୟାପସୁଲ ବଜାରକୁ ଛଡ଼ାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି କ୍ୟାପସୁଲର ବ୍ରାଣ୍ଡ ନାମ ହେଉଛି ମୋଲୁଲାଇଫ୍ । ଏହାର ସଂପୂର୍ଣ୍ଣ କୋର୍ସର ମୂଲ୍ୟ ବି ୧୪୦୦ ଟଙ୍କା ରହିବ ବୋଲି କମ୍ପାନିର ଅଧ୍ୟକ୍ଷ ଆରସି ଜୁନେଜା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର