ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଜନ୍ମ କରାଇଥିବା ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କର ପରଲୋକ, ସମବେଦନା ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀର ସାର୍ ଗଙ୍ଗାରାମ ଡାକ୍ତରଖାନାରେ ୪୩ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଏସ.କେ ଭଣ୍ଡାରୀଙ୍କର କରୋନା ଯୋଗୁଁ ପରଲୋକ ହୋଇଯାଇଛି | ଆଉ ତାଙ୍କ ମୃତ୍ୟୁ ପରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ‘ଗୁରୁବାର ଦିନ ଡାକ୍ତର ଭଣ୍ଡାରୀଙ୍କ ଦେହାନ୍ତ ହୋଇଛି। ତାଙ୍କ ଭାଇ ଏବଂ ତାଙ୍କର ଜନ୍ମ ପଛରେ ଡାକ୍ତର ଭଣ୍ଡାରୀଙ୍କର ହାତ ଥିଲା |

କେବଳ ଏତିକି ନୁହେଁ, ପ୍ରିୟଙ୍କା ଗାନ୍ଧୀଙ୍କ ଉଭୟ ସନ୍ତାନ ଡାକ୍ତର ଭଣ୍ଡାରୀଙ୍କ ତତ୍ତ୍ୱାବଧାନରେ ଜନ୍ମ ହୋଇଥିଲେ। ୭୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେ ସକାଳେ ନିଜେ କାର ଚଳାଇ ଡାକ୍ତରଖାନାରେ ପହଞ୍ଚିଯାଉଥିଲେ । ସେ ଅନେକ ଥର ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ। ସେ ବହୁତ ଭଲ ବ୍ୟକ୍ତି ଏବଂ ମୋର ବନ୍ଧୁ ଥିଲେ’ | ଡାକ୍ତର ଭଣ୍ଡାରୀ ଦୀର୍ଘ ଦିନ ଧରି ଗାନ୍ଧୀ ପରିବାରର ଜଣେ ଡାକ୍ତର ରହିଆସିଛନ୍ତି।


ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବାବେଳେ କୋଭିଡ-୧୯ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବାର ଜଣାପଡିଛି | ହୃଦରୋଗ ସମସ୍ୟା ଯୋଗୁଁ ଦୁଇ ସପ୍ତାହ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଆଉ ସେତେବେଳେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା | ଆଉ ଶେଷରେ ତାଙ୍କର ଦେହାନ୍ତ ହୋଇଯାଇଛି |

ସମ୍ବନ୍ଧିତ ଖବର