ସ୍ୱାତୀ ମୋହନଙ୍କ ପାଇଁ ସଫଳତାର ସହ ମଙ୍ଗଳ ଗ୍ରହରେ ଓହ୍ଲାଇଲା ‘ନାସା’ ରୋଭର, ଜାଣନ୍ତୁ ଏଇ ମହିଳା ଜଣକ କିଏ ?

ନୂଆଦିଲ୍ଲୀ: ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି । ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି । ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି । ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ପ୍ରବାହିତ ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି ।

ତେବେ ଆମେରିକା ଏହି ବଡ଼ ଉପଲବ୍ଧି ହାସଲ କରୁଥିବା ବାବଦରେ ପୂରା ବିଶ୍ୱକୁ ଟିକିନିକି ବିବରଣୀ ଦେଉଥିଲେ ଭାରତୀୟ ବଂଶୋଦ୍ଭବ ମହିଳା ସ୍ୱାତୀ ମୋହନ । ତେବେ ଏହି ମିଶନରେ ସ୍ୱାତୀଙ୍କର ପ୍ରମୁଖ ଭୂମିକା ରହିଥିଲା । ହୁଏତ ସ୍ୱାତୀଙ୍କ ବିନା ନାସାର ଏହି ମିଶନ ସମ୍ଭବ ହୋଇପାରି ନଥାନ୍ତା । କାରଣ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ରୋଭର କେତେବେଳେ ଓହ୍ଲାଇବ ଓ କେତେ ବେଗରେ ଓହ୍ଲାଇବ ଏବଂ କେତେ ଉଚ୍ଚରେ କେତେ ବେଗରେ ଗତି କରିବ ତାହାର ପୂରା ରିମୋଟ କଣ୍ଟ୍ରୋଲ ସ୍ୱାତୀଙ୍କ ଟିମ ହାତରେ ରହିଥିଲା । ଆଉ ଏହାକୁ ବେଶ ସଫଳତାର ସହ ଶେଷ କରିଥିଲେ ସ୍ୱାତୀ । ତେବେ ସ୍ୱାତୀଙ୍କ ଭାରତ ସହ କ’ଣ ଲିଙ୍କ ରହିଛି ଆସନ୍ତୁ ଜାଣିବା ।

Image result for dr-swati-mohan-who-played-a-big-role-in-landing-nasa-rover-on-mars in hindi

ସ୍ୱାତୀ ମୋହନ କିଏ ଜାଣନ୍ତୁ । ମାତ୍ର ବର୍ଷକର ହୋଇଥିବା ବେଳେ ଭାରତ ଛାଡି ବାପା ଓ ମା’ଙ୍କ ସହ ଆମେରିକା ଚାଲିଯାଇଥିଲେ ସ୍ବାତୀ । ତେବେ ୧୬ ବର୍ଷ ପର୍ଯ୍ୟନ୍ତ ସେ ବୈଜ୍ଞାନିକ ହେବାକୁ ଆଦୌ ଚିନ୍ତା ମଧ୍ୟ କରି ନଥିଲେ । କିନ୍ତୁ ଗୋଟିଏ ଫିଜିକ୍ସ କ୍ଲାସ ତାଙ୍କ ଭିତରେ ନୂଆ ସ୍ୱପ୍ନକୁ ଜନ୍ମ ଦେଇଥିଲା । ଆଉ ଡାକ୍ତର ହେବାକୁ ଚାହୁଁଥିବା ସ୍ୱାତୀ ବୈଜ୍ଞାନିକ ହେବାକୁ ମନ ପରିବର୍ତ୍ତନ କରିଥିଲେ । ଏହାଛଡା ହଲିଉଡ ଫିଲ୍ମ ଷ୍ଟାର ଟ୍ରେକ ମଧ୍ୟ ତାଙ୍କ ବୈଜ୍ଞାନିକ ହେବା ପଛର ବଡ ପ୍ରେରଣା ବୋଲି କହିଛନ୍ତି ସ୍ୱାତୀ । ଏହି ଫିଲ୍ମ ଦେଖିବା ପରେ ସ୍ୱାତୀଙ୍କ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ।

ପୃଥିବୀ ଛଡା ଅନ୍ୟ ଦୁନିଆ ବି ରହିଛି ତା ବାବଦରେ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା । କିନ୍ତୁ ଥରେ ବୈଜ୍ଞାନିକ ହେବାକୁ ମନ ବଳାଇବା ପରେ ଧୀରେ ଧୀରେ ଏହି କ୍ଷେତ୍ରରେ ଆଗକୁ ବଢିବା ସହ ନାସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସ୍ୱାତୀ । ସ୍ୱାତୀ ନାସାରେ କେବଳ ଜଣେ ବୈଜ୍ଞାନିକ ହୋଇ ରହିନାହାନ୍ତି ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ତାଙ୍କୁ ଖୋଜା ପଡିଛି ।

ସ୍ୱାତୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆମ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ଆସିଥାଏ । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କାମ କରିବାର ନିଆରା ମଜା ମଧ୍ୟ ରହିଛି । ବିଶ୍ୱ ବ୍ରହ୍ମାଣ୍ଡ ବାବଦରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ଯାହା ବାବଦରେ କୌଣସି ସାଧାରଣ ଲୋକ କଳ୍ପନା ମଧ୍ୟ କରି ନଥିବେ । ତେଣୁ ନାସାର ବିଭିନ୍ନ ମିଶନରେ ସାମିଲ ହୋଇ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛି ବୋଲି କହିଛନ୍ତି ସ୍ୱାତୀ ।

ଏସବୁ ଭିତରେ ନାସା ପଠାଇଥିବା ରୋଭରର ମୁଖ୍ୟ କାମ ରହିବ ମଙ୍ଗଳ ଗ୍ରହରେ ପୂର୍ବରୁ ଥିବା ଜୀବସତ୍ତାର ଅନୁସନ୍ଧାନ କରିବା । ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ଅବତରଣ କରିବାକୁ ପ୍ରାୟ ୭ ମିନିଟ ସମୟ ଲାଗିଥିଲା । ଏହି ଅବତରଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ରୋଭର ପହଞ୍ଚିବା ପରେ ଏକ ଫଟୋ ପୃଥିବୀକୁ ପଠାଇଛି । ମାର୍ସ ପର୍ସିଭେରେନ୍ସ ରୋଭର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ । ଏଥିରେ ରହିଥିବା ଇଂଜିନ୍ୟୁଟି ହେଲିକପ୍ଟରର ଓଜନ ପ୍ରାୟ ୨ କିଲୋଗ୍ରାମ ।

ଏହି ରୋଭର ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ହେବ । ପ୍ରଥମ ଥର ପାଇଁ କୌଣସି ରୋଭରରେ ପ୍ଲୁଟୋନିଅମକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ମଙ୍ଗଳ ଗ୍ରହର ପୃଷ୍ଠରେ ଏହି ଯାନ ପ୍ରାୟ ୧୦ ବର୍ଷ ଧରି କାମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯାନରେ ୭ଫୁଟର ଏକ ରୋବର୍ଟିକ ଆର୍ମ ରହିଥିବା ବେଳେ ୨୩ଟି କ୍ୟାମେରା ଓ ଡ୍ରିଲ ମେସିନ ଖଞ୍ଜାଯାଇଛି । ଏଗୁଡିକ ମଙ୍ଗଳ ପୃଷ୍ଠର ଫଟୋ, ଭିଡିଓ ଓ ନମୁନା ସଂଗ୍ରହ କରିବ । ଏହାର ଗବେଷଣାରୁ ଭବିଷ୍ୟତରେ ଏଠାରେ ମଣିଷ ରହିପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ତେବେ ନାସାର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍ ।

ସମ୍ବନ୍ଧିତ ଖବର