ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ଡା.ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ:  ସପ୍ତଦଶ ଲୋକସଭା ପାଇଁ ବିଜେପିର ସାଂସଦ ଡା.ବୀରେନ୍ଦ୍ର କୁମାରଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ଚୟନ କରାଯାଇଛି । ସେ ଆଜି ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଏହା ପୂର୍ବରୁ ଏହି ପଦ ପାଇଁ ବରେଲୀ ସାଂସଦ ସନ୍ତୋଷ ଗଙ୍ଗୱାର୍ ଏବଂ ସୁଲତାନପୁର ସାଂସଦ ମେନେକା ଗାନ୍ଧୀଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ବିଜେପି ନେତୃତ୍ୱ ଏହି ଦୁଇ ନାଁକୁ ଖାରଜ କରିଦେଇଥିଲା ।

ବାଲ୍ୟକାଳରୁ ଆରଏସଏସ୍ ସହ ଜଡିତ ଥିବା ମଧ୍ୟପ୍ରଦେଶର ବୀରେନ୍ଦ୍ର କୁମାର  ୬ ଥର ଲୋକସଭା ସଦସ୍ୟ ହେବା ସହ  ଏବଂ ବିଜେପିର ଦଳିତ ଚେହେରା ରହିଆସିଛନ୍ତି । ବୀରେନ୍ଦ୍ର କୁମାର  ନିଜ ସଚ୍ଚୋଟପଣିଆ ଓ ସାଧାରଣ ଜୀବନଧାରା ପାଇଁ ବେଶ ଲୋକପ୍ରିୟ।  ତାଙ୍କର ଜଣେ ସହଯୋଗୀଙ୍କ କହିବାନୁସାରେ, ବୀରେନ୍ଦ୍ର ଯେତେବେଳେ ବି ଦିଲ୍ଲୀ  ଆସନ୍ତି,  ଜଣେସାଧାରଣ ବ୍ୟକ୍ତିି ଭଳି ଷ୍ଟେସନରେ ଓହ୍ଲାଇ ଘରକୁ ଯିବା ପାଇଁ ଅଟୋ-ରିକ୍ସା ଭଡ଼ା ନେଇଥାନ୍ତି ।

୧୯୫୪ ଫେବୃୟାରୀ ୨୭ ତାରିଖରେ ଜନ୍ମିତ ବୀରେନ୍ଦ୍ର କୁମାର ୧୯୯୬ରେ ୧୧ ତମ ଲୋକସଭା ଆସନରୁ ସାଗରରୁ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ୨୦୦୯ ରୁ ୧୪ ଭିତରେ ଟିକମଗଢ ଲୋକସଭା ଆସନରୁ ସେ ନିର୍ବାଚନ ଜିତିଥିଲେ ।

ସମ୍ବନ୍ଧିତ ଖବର