ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୩ଟି ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌ ଅଧୀନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯଦି କୌଣସି ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍‌ରେ ରହିବେ କିମ୍ବା ହାଜତରେ ଅଟକ ରହିବେ, ତା’ହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ। ଏହି ତିନୋଟି ବିଲ୍ ହେଉଛି ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍। ଉଲ୍ଲେଖଯୋଗ୍ୟ, ବିଲ୍‌ରେ ଥିବା ପ୍ରସ୍ତାବ ଅନୁଯାୟୀ ଯଦି ଜଣେ କାର୍ଯ୍ୟରତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍‌ଦଣ୍ଡ ଥିବା ଅପରାଧରେ ଲଗାତାର ୩୦ ଦିନ ପାଇଁ ଗିରଫ କରାଯାଏ କିମ୍ବା ଅଟକ ରଖାଯାଏ, ତା’ହେଲେ ସେମାନେ ଗୋଟିଏ ମାସ ମଧ୍ୟରେ ନିଜର ପଦବି ହରାଇବେ। 

Advertisment

ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍‌କୁ ପରବର୍ତ୍ତୀ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଣିଥିଲେ। ଭୀଷଣ ହଟ୍ଟଗୋଳ ଭିତରେ ବିଲ୍‌ଗୁଡ଼ିକୁ ଜେପିସିକୁ ପଠାଯାଇଛି। ଉଭୟ ସରକାର ଓ ବିରୋଧୀ ସାଂସଦଙ୍କ ମଧ୍ୟରୁ ୨୧ ଜଣ ଲୋକସଭା ସଦସ୍ୟ ଓ ୧୦ ଜଣ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ଜେପିସି ଏହି ବିଲ୍‌ଗୁଡ଼ିକୁ ଅନୁଧ୍ୟାନ କରିବ। ଆଗାମୀ ସଂସଦ ଅଧିବେଶନର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ବିଲ୍‌ଗୁଡ଼ିକର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ଜେପିସିକୁ ଦାୟିତ୍ବ ଦିଆଯାଇଛି। ତେବେ ଏହାର ସୁପାରିସ ସରକାରଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ। ଉକ୍ତ ୩ ପ୍ରମୁଖ ବିଲ୍‌କୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ସାଂସଦମାନେ ୩ ପ୍ରମୁଖ ବିଲ୍‌ର କପି ଚିରି ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଫୋପାଡ଼ିଥିଲେ। ବିରୋଧୀ ଦଳ ନେତାମାନେ ଜୋର୍‌ଦାର ହଙ୍ଗାମା କରିଥିଲେ। କେତେକ ସାଂସଦ ଏଭଳି ବିଲ୍‌କୁ ପ୍ରତ୍ୟାହାର କରାନଗଲେ ଭଙ୍ଗାରୁଜା ଆରମ୍ଭ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ସରକାର ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ଆଚରଣ କଦାପି ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଶାହ ଗୃହରେ ବିଲ୍ ଉପସ୍ଥାପନ କରିବା ପଦକ୍ଷେପକୁ ପ୍ରଥମେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଉଦ୍ଦିନ୍ ଅୱେସି ବିରୋଧ କରିଥିଲେ ଏବଂ ଏହା ପରେ ବିରୋଧୀ ଦଳଙ୍କର ସ୍ଲୋଗାନ ଆରମ୍ଭ ହୋଇଯାଇଥିଲା। ଯାହାଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। 

ବିଲ୍‌କୁ ବିରୋଧ କରି ଅୱେସି କହିଛନ୍ତି, ଏହା କ୍ଷମତା ପୃଥକୀକରଣକୁ ଉଲ୍ଲଂଘନ କରୁଛି। ଏହା କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ ଏକଛତ୍ର କ୍ଷମତା ପ୍ରଦାନ କରୁଛି। ଏହି ବିଲ୍ ଅନିର୍ବାଚିତମାନଙ୍କୁ ଦଣ୍ଡଦାତା ଭୂମିକା ଗ୍ରହଣ କରିବାକୁ ସଶକ୍ତ କରିବ। ବିଲ୍‌ର ଧାରାଗୁଡ଼ିକୁ ବିଭିନ୍ନ ସରକାରକୁ ଅସ୍ଥିର କରିବା ପାଇଁ ବ୍ୟବହାର କରାଯାଇପାରିବ। ଏହି ବିଲ୍ କେବଳ ଏକ ଦମନକାରୀ ପୁଲିସ ବ୍ୟବସ୍ଥା ସୃଷ୍ଟି କରିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ପ୍ରକାଶଥାଉକି, ଏହି ତିନୋଟି ବିଲ୍ ଏକ ସମ୍ପୂର୍ଣ୍ଣ ନୂତନ ଆଇନଗତ ଢାଞ୍ଚା ପ୍ରସ୍ତାବ ଦେଇଛି ଯାହା ଜମ୍ମୁକାଶ୍ମୀର ଭଳି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରଯୁଜ୍ୟ ହେବ। ବିଲ୍‌ଗୁଡ଼ିକ ସୂଚାଉଛି ଯେ ଜଣେ ବହିଷ୍କୃତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜେଲ୍‌ରୁ ମୁକ୍ତ ହେବା ପରେ ପୁନର୍ବାର ନିଯୁକ୍ତ କରାଯାଇପାରିବ। 

କଂଗ୍ରେସ ସାଂସଦ ମନୀଷ ତିୱାରୀ ବିଲ୍‌ଗୁଡ଼ିକୁ ‘ବିନାଶକାରୀ’ ବୋଲି କହି ସରକାରକୁ ଘେରିଥିଲେ। ବିରୋଧୀ ନେତାମାନଙ୍କୁ ବିଲ୍‌ ବିରୋଧରେ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିବାକୁ ଅନୁମତି ଦେବା ପାଇଁ ତିୱାରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି, ଭାରତୀୟ ସମ୍ବିଧାନ କହୁଛି ଯେ ଆଇନର ଶାସନ ରହିବା ଉଚିତ ଏବଂ ଏହାର ଆଧାର ହେଉଛି ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଆପଣ ନିର୍ଦ୍ଦୋଷ। ଏହି ବିଲ୍ ଏହାକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଗ୍ରହଣୀୟ ନୁହେଁ।