ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦିବଗଂତ ପିତାଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ହଇଚଇ ସୃଷ୍ଟି କରିଥିବା କଂଗ୍ରେସ ମୁଖପାତ୍ର ପୱନ ଖେଡ଼ାଙ୍କୁ ଆଜି ସୁପ୍ରିମ୍କୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ବିବାଦୀୟ ଟିପ୍ପଣୀ ପାଇଁ ଆସାମ ପୁଲିସ ଖେଡ଼ାଙ୍କୁ ଆଜି ଦିଲ୍ଲୀ ଏୟାରପୋର୍ଟରେ ଗିରଫ କରିଥିଲା। ଏହାର ପ୍ରତିବାଦରେ କଂଗ୍ରେସ ବିମାନବନ୍ଦରରେ ହଙ୍ଗାମା କରିବା ସହ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସର୍ବୋଚ୍ଚ ଅଦାଲତ ଖେଡ଼ାଙ୍କୁ ୨୮ ଫେବ୍ରୁଆରି ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଖେଡ଼ା ଏହି ମାମଲାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ବେଳେ ସୁପ୍ରିମ୍କୋର୍ଟ ଖେଡ଼ାଙ୍କୁ କଥାବାର୍ତ୍ତାରେ ସଂଯମ ରକ୍ଷା କରିବାକୁ ଚେତାଇ ଦେଇଛନ୍ତି। କଂଗ୍ରେସର ୩ ଦିନିଆ ପ୍ଲେନାରି ସେସନ୍ରେ ଯୋଗଦେବା ପାଇଁ ଖେଡ଼ା ଛତିଶଗଡ଼ର ରାୟପୁରକୁ ଯାଉଥିବା ବେଳେ ପ୍ରଥମେ ଦିଲ୍ଲୀ ପୁଲିସ ତାଙ୍କୁ ଅଟକାଇଥିଲା। ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଡ଼ା ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ବିମାନରେ ବସି ସାରିଥିଲେ ମଧ୍ୟ ତାଙ୍କୁ ପୁଲିସ ଓହ୍ଲାଇ ଦେଇଥିଲା । ଏହାପରେ ସେ ଆସାମ ପୁଲିସ ଦ୍ବାରା ଗିରଫ ହୋଇଥିଲେ।
ଖେଡ଼ା ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବର୍ଗତ ପିତାଙ୍କୁ କଟାକ୍ଷ କରି ବିବାଦୀୟ ଟିପ୍ପଣୀ ଦେବା ସହ ସାମ୍ବାଦିକ ସମ୍ମିଳନୀରେ ପରିହାସ କରିଥିବାରୁ ତାଙ୍କ ବିରୋଧରେ ଆସାମର ଜଣେ ବିଜେପି ନେତା ମାମଲା ରୁଜୁ କରିଥିଲେ। ଲକ୍ଷ୍ନୌ ଏବଂ ବାରଣାସୀରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାରେ ଖେଡ଼ାଙ୍କୁ ଗିରଫ କରିବାପାଇଁ ଆସାମ ପୁଲିସର ଏକ ଟିମ୍ ଆଜି ଦିଲ୍ଲୀ ପହଞ୍ଚି ଖେଡ଼ାଙ୍କୁ ମଧ୍ୟାହ୍ନ ୧୨ଟାରେ ଗିରଫ କରିଥିଲା। ଏହା ବିରୋଧରେ କଂଗ୍ରେସ ତୁରନ୍ତ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ଏବଂ ଦଳ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ପକ୍ଷ ରଖିଥିଲେ। ଅଦାଲତ ଅପରାହ୍ନ ୩ଟା ୩୦ରେ ଖେଡ଼ାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।
ଖେଡ଼ାଙ୍କୁ ଆଜି ଗିରଫ କରାଯିବା ମାତ୍ରେ କଂଗ୍ରେସ ନେତାମାନେ ଏୟାରପୋର୍ଟ୍ରେ ଧାରଣାରେ ବସିବା ସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କେତେକ କଂଗ୍ରେସ କର୍ମୀ ବିମାନ ଭିତରେ ହଙ୍ଗାମା ଆରମ୍ଭ କରିବା ପରେ ସ୍ଥିତି ବିଗିଡ଼ି ଯାଇଥିଲା ଏବଂ ରାୟପୁର ଯାଉଥିବା ଇଣ୍ଡିଗୋ ବିମାନର ଉଡ଼ାଣ ରଦ୍ଦ ହୋଇଥିଲା। ଇଣ୍ଡିଗୋ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ରାୟପୁର ପଠାଇବା ବ୍ୟବସ୍ଥା କରିଥିଲେ। ସୁପ୍ରିମ୍କୋର୍ଟରେ ଶୁଣାଣି ସମୟରେ ସିଂଘଭୀ ଖେଡ଼ାଙ୍କ ବୟାନକୁ ଆପତ୍ତିଜନକ ବୋଲି ସ୍ବୀକାର କରିବା ସହ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ଏକତ୍ରୀକରଣ ପାଇଁ ଆବେଦନ କରିଥିଲେ ଏବଂ ଖେଡ଼ା ଏ ବାବଦରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା କହିଥିଲେ। ଶୁଣାଣି ସମୟରେ ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ସିଂଘଭୀଙ୍କୁ ପଚାରିଥିଲେ- ପୱନ ଖେଡ଼ା ମହାଶୟ କିଏ? ସିଂଘଭୀ କହିଥିଲେ ସେ କଂଗ୍ରେସର ପ୍ରବକ୍ତା ଏବଂ ତାଙ୍କ ପାଟିରୁ କଥା ଖସିଯିବାରୁ ବିବାଦ ଉପୁଜିଛି। ଖେଡ଼ାଙ୍କୁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବାକୁ ସେ ନିବେଦନ କରିଥିଲେ। ଏହା ଉପରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି କହିଥିଲେ ଯେ ଖେଡ଼ା ଜାଣିଶୁଣି ପ୍ରଧାନମନ୍ତ୍ରୀ ଓ ତାଙ୍କ ପିତାଙ୍କୁ ନେଇ ଆପତ୍ତିଜନକ ବୟାନ ରଖିଥିଲେ ଏବଂ ଅଦାଲତ ଏହାର ଭିଡିଓ କ୍ଲିପ୍ ଦେଖିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ କୋର୍ଟରେ ବୟାନର ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା। କୋର୍ଟ ଖେଡ଼ାଙ୍କୁ ତାଗିଦ କରିବା ସହ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏତଲା ଏକତ୍ରୀକରଣ ପ୍ରସଙ୍ଗରେ କୋର୍ଟ ଆସାମ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି।
କ’ଣ ଥିଲା ଖେଡ଼ାଙ୍କ ବୟାନ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ା ଫେବ୍ରୁଆରି ୧୭ ତାରିଖରେ ଆଦାନି-ହିଣ୍ଡେନବର୍ଗ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂରା ନାମ କହିବା ବେଳେ ତାଙ୍କ ପିତାଙ୍କ ନାମ ଭୁଲ୍ କହିଥିଲେ। ଥରଟିଏ ଏଭଳି ଭୁଲ୍ କରି ଏହାକୁ ଖେଡ଼ା ସୁଧାରିଥିଲେ ଏବଂ ପରେ ଜାଣିଶୁଣି ଭୁଲ୍ ନାମ କହି ମୋଦୀଙ୍କୁ ପରିହାସ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କ ନାମ ଦମୋଦର ଦାସ ମୋଦୀ କହିବା ବଦଳରେ ଖେଡ଼ା ତାଙ୍କୁ ଗୌତମ ମୋଦୀ ବୋଲି କହିଥିଲେ। ଶିଳ୍ପପତି ଗୌତମ ଆଦାନିଙ୍କ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଥିବାରୁ ସେ ମୋଦୀଙ୍କ ପିତାଙ୍କ କ୍ଷେତ୍ରରେ ଗୌତମ ନାମ ବ୍ୟବହାର କରିଥିଲେ। ଏହାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି । ଖେଡ଼ାଙ୍କ ଏଭଳି ଆପତ୍ତିଜନକ ବୟାନ ପାଇଁ ତାଙ୍କ ବିରୋଧରେ ଲକ୍ଷ୍ନୌ, ବାରଣାସୀ ଏବଂ ଆସାମରେ ମାମଲା ରୁଜୁ ହୋଇଥିଲା। ଖେଡ଼ାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ମଧ୍ୟ ରୁଜୁ ହୋଇଥିବା ବେଳେ କଂଗ୍ରେସ ଦଳ ଏବେ ଖେଡ଼ାଙ୍କୁ ଦୃଢ଼ ସମର୍ଥନ କରି ସରକାରକୁ ଘେରିଛି।
ଦେଶରେ ‘ହିଟ୍ଲର ଶାସନ’ ଚାଲିଛି: କଂଗ୍ରେସ
ପୱନ ଖେଡ଼ାଙ୍କ ଗିରଫଦାରୀକୁ କଂଗ୍ରେସ ନେତାମାନେ କଡ଼ା ବିରୋଧ କରିଛନ୍ତି। ଗିରଫ ପ୍ରସଙ୍ଗରେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସରକାର ବିରୋଧରେ ବର୍ଷିଛନ୍ତି। ନରେନ୍ଦ୍ର ମୋଦୀ ସରକାର ଗଣତନ୍ତ୍ରକୁ ‘ହିଟଲର ଶାସନ’ରେ ପରିଣତ କରିଛି ବୋଲି ସେ କହିଛନ୍ତି। ଶଶି ଥରୁର କହିଛନ୍ତି, କାହାକୁ ପରିହାସ କଲେ ଜେଲ୍ ହେବାର କୌଣସି କାରଣ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିପାରିବନି ବୋଲି ସେମିତି କିଛି ଆଇନ ନାହିଁ ବୋଲି ଥରୁର କହିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, କଂଗ୍ରେସ ସଂସଦରେ ଯାହା କହୁଛି ତାହା ହଟାଇ ଦିଆଯାଉଛି କିନ୍ତୁ ଆମେ ସଂସଦ ବାହାରେ କିଛି କହିଲେ ଗିରଫ ହେଉଛୁ। ଦେଶରେ ନ୍ୟାୟପାଳିକା ବଞ୍ଚିଛି ଏବଂ ଆମକୁ ନ୍ୟାୟ ମିଳିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/54f654sfh65h4sf6f5h4f65h.jpg)