ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଦ୍ବାରା ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ମାନହାନି ମାମଲା ଆଜି ନାଟକୀୟ ମୋଡ଼ ନେଇଛି। ମହୁଆ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଦେହାଦ୍ରାଇ ଆଜି କୋର୍ଟରେ ଅଭିଯୋଗ କରିଥିଲେ ଯେ ମହୁଆଙ୍କ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ତାଙ୍କ ସହିତ ଗୁରୁବାର ସକାଳେ କଥା ହୋଇଥିଲେ। ମହୁଆଙ୍କ ବିରୋଧରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିନେବା ପାଇଁ ତାଙ୍କୁ କହିଥିଲେ। ଏହି କଥାବାର୍ତ୍ତାର ରେକର୍ଡିଂ ସେ ରଖିଛନ୍ତି। ତେଣୁ ଶଙ୍କରନାରାୟଣନଙ୍କୁ ଉକ୍ତ ମାମଲା ପରିଚାଳନା କରିବାକୁ ଦିଆ ନଯାଉ। ସେ ମୋ ସହିତ ୩୦ ମିନିଟ୍‌ କଥା ହୋଇଛନ୍ତି। କୁକୁର ବିନିମୟରେ ସିବିଆଇ ମାମଲା ପ୍ରତ୍ୟାହାର କରିବା ପାଇଁ ସେ ମୋତେ କହିଥିଲେ। ଏହା ପରେ ଶଙ୍କରନାରାୟଣନ୍ କଥା ହୋଇଥିବା ପ୍ରସଙ୍ଗକୁ ସ୍ବୀକାର କରିଥିଲେ। ପୂର୍ବରୁ ମହୁଆ ବିଭିନ୍ନ ପ୍ରସଙ୍ଗରେ ଅବଗତ କରିଥିଲେ। ତେଣୁ ଦେହାଦ୍ରାଇଙ୍କୁ ସେ ଜାଣିଥିବାରୁ କଥା ହୋଇଥିଲେ ବୋଲି ଶଙ୍କରନାରାୟଣନ କହିଥିଲେ।

Advertisment

ଏହା ଅବଗତ ହେବା ପରେ ବିଚାରପତି ସଚିନ ଦତ୍ତା କହିଥିଲେ ଏ ପ୍ରକାର ଅଭିଯୋଗ ତାଙ୍କୁ ଚକିତ କରିଛି। ତାଙ୍କର ଦ୍ବୈତ ସ୍ବାର୍ଥ ରହିଛି। ଆପଣ ସର୍ବୋଚ୍ଚ ସ୍ତରର ପେସାଦାର ମାନ ରକ୍ଷା କରିବା ଆବଶ୍ୟକ। ଯଦି ଆପଣ ପ୍ରତିବାଦୀ ନମ୍ବର ୨ ଙ୍କ ସହିତ ଯୋଗାଯୋଗରେ ରହିଛନ୍ତି ତାହେଲେ ମଧ୍ୟସ୍ଥ ଭୂମିକା ଗ୍ରହଣ କରୁଛନ୍ତି। ଆପଣ କଣ ଉକ୍ତ ମାମଲାରେ ଲଢ଼ିପାରିବେ ବୋଲି ଭାବୁଛନ୍ତି କି ବୋଲି ବିଚାରପତି ପଚାରିଥିଲେ। ଏହାପରେ ଆଇନଜୀବୀ ଶଙ୍କରନାରାୟଣ ମାମଲାରୁ ଓହରି ଯାଇଥିଲେ।