ଇତିହାସ ରଚିଲେ ଦ୍ରୌପଦୀ: ଓଡ଼ିଶା ଝିଅ ମୁଣ୍ଡରେ ରାଷ୍ଟ୍ରମୁକୁଟ

ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି, ୬୪ % ଭୋଟ୍‌ ପାଇ ନିର୍ବାଚିତ

ନୂଆଦିଲ୍ଲୀ : ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁର୍ମୁଙ୍କ ବିଜୟ ସହ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିଥିବା ବେଳେ ଭାରତର ଗଣତାନ୍ତ୍ରିକ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଏନ୍‌ଡିଏ ବାହାରୁ ମଧ୍ୟ ତାଙ୍କୁ ମିଳିଛି ବିପୁଳ ସମର୍ଥନ। ମୁର୍ମୁ ୬୪ ପ୍ରତିଶତ ଭୋଟ୍‌ ହାସଲ କରିବାକୁ ସମର୍ଥ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିହ୍ନାଙ୍କୁ ମିଳିଛି ୩୬ ପ୍ରତିଶତ ଭୋଟ୍‌। ଦ୍ରୌପଦୀ ନିର୍ବାଚିତ ଘୋଷଣା ହେବାପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ତ‌ାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାରେ ‌୬୪ ବର୍ଷୀୟ ଦ୍ରୌପଦୀ ହେଉଛନ୍ତି ସର୍ବକନିଷ୍ଠ ଏବଂ ପ୍ରଥମ ଆଦିବାସୀ ନେତ୍ରୀ। ଆସନ୍ତା ୨୫ ତାରିଖରେ ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

Business Today

ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୭୫୪ ଭୋଟ୍‌ରୁ ୪୭୦୧ଟି ବୈଧ ଭୋଟ୍ ପଡ଼ିଥିଲା। ୫୩ଟି ଭୋଟ୍‌ ନାକଚ ହୋଇଯାଇଥିଲା। ଏଥର ନିର୍ବାଚନରେ ବିଜୟ ପାଇଁ ଆବଶ୍ୟକ ଭୋଟ୍‌ ମୂଲ୍ୟ ଥିଲା ୫, ୨୮, ୪୯୧ । ମୁର୍ମୁଙ୍କୁ ୨୮୨୪ଟି ପ୍ରଥମ ପସନ୍ଦ ଭୋଟ୍‌ ମିଳିଥିଲା ଯାହାର ଭୋଟ୍‌ ମୂଲ୍ୟ ହେଉଛି ୬,୭୬,୮୦୩। ଅନ୍ୟପକ୍ଷରେ ସିହ୍ନାଙ୍କୁ ୧୮୭୭ଟି ପ୍ରଥମ ପସନ୍ଦର ଭୋଟ୍‌ ମିଳିଛି ଯାହାର ଭୋଟ୍‌ ମୂଲ୍ୟ ହେଉଛି ୩,୮୦, ୧୭୭। ଗୁରୁବାର ପୂର୍ବାହ୍ନ ୧୧ଟାରେ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରଥମେ ସାଂସଦମାନଙ୍କ ଭୋଟ୍‌ ଗଣତି ହୋଇଥିଲା। ସାଂସଦମାନଙ୍କର ୭୪୮ଟି ବୈଧ ଭୋଟ୍‌ରୁ ମୁର୍ମୁ ୫୪୦ ଭୋଟ୍‌ ହାସଲ କରିବାକୁ ସମର୍ଥ ହୋଇଥିବା ବେଳେ ସିହ୍ନାଙ୍କୁ ମାତ୍ର ୨୦୪ଟି ଭୋଟ୍‌ ମିଳିଥିଲା। ପ୍ରଥମ ତିନି ରାଉଣ୍ଡ ଭୋଟ ଗଣତିରେ ମୁର୍ମୁଙ୍କୁ ୫୩ ପ୍ରତିଶତ ଭୋଟ ମିଳିବା ପରେ ରିଟର୍ଣିଂ ଅଫିସର ତାଙ୍କୁ ନିର୍ବାଚିତ ଘୋଷଣା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମୁର୍ମୁଙ୍କ ବିଜୟ ବ୍ୟବଧାନ ବଢ଼ିବାକୁ ଲାଗିଥିଲା। ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନା ପରାଜୟ ସ୍ବୀକାର କରିବା ସହିତ ମୁର୍ମୁଙ୍କୁ ଅଭିନ୍ଦନ ଜଣାଇଥିଲେ।

ମୁର୍ମୁଙ୍କୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶରୁ ସର୍ବାଧିକ ଭୋଟ୍ ମିଳିଛି।

ଆନ୍ଧ୍ର ପ୍ରଦେଶ ଏବଂ ସିକିମର ସମସ୍ତ ବିଧାୟକ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ କେରଳର ସମସ୍ତ ବିଧାୟକ ସିହ୍ନାଙ୍କୁ ଭୋଟ୍ ଦେଇଛନ୍ତି। ପଶ୍ଚିମ ବଙ୍ଗ ଏବଂ ତାମିଲନାଡୁରୁ ସିହ୍ନାଙ୍କୁ ସର୍ବାଧିକ ଭୋଟ୍ ମିଳିଛି।

ଏହାସହିତ ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ଅଳଙ୍କୃତ କରିବେ। ମୁର୍ମୁଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଜଣାଇଛନ୍ତି। ମୁର୍ମୁଙ୍କ ବିଶାଳ ବିଜୟରେ ଉତ୍‌ଫୁଲ୍ଲିତ ବିଜେପି ଗୁରୁବାର ଦିନ ରାଜପଥରେ ଏକ ଭବ୍ୟ ରୋଡ୍‌ ସୋ କରିଥିବା ବେଳେ ବିଜେପି ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଲୋକନୃତ୍ୟ ଓ ସଂଗୀତର ଆସର ଜମି ଉଠିଥିଲା। ଓଡ଼ିଶା ସମେତ ଦେଶବ୍ୟାପୀ ବିଜୟ ଉତ୍ସବ ପାଳନ କରୁଥିବାର ମଧ୍ୟ ଖବର ମିଳିଛି।

ସମ୍ବନ୍ଧିତ ଖବର