ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ବିଜେପି ସଭାପତି ଜେପି ନଡ୍ଡା

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ପ୍ରକାଶ କରି ଦ୍ରୌପଦୀ ମୁର୍ମୁ ଆନନ୍ଦ ପ୍ରକାଶ କରିବା ସହ ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି କୁହାଯାଉଛି । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରୁ ଆସୁଥିବା ମୁର୍ମୁ ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ଜଣେ ମନ୍ତ୍ରୀ ଥିଲେ ।

 

ଆଜି ବିରୋଧୀ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା । ଏଣୁ ଏଥର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଓ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ଲଢେଇ ହେବ ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲେ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଓ ୨ୟ ମହିଳା ରାଷ୍ଟ୍ରପତି ହେବେ । ସେ ମଧ୍ୟ ଭାରତରେ ରାଷ୍ଟ୍ରପତି ହେବାରେ ଓଡ଼ିଶାର ୨ୟ ବ୍ୟକ୍ତି ହେବେ । ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ଭି.ଭି.ଗିରି ଭାରତର ରାଷ୍ଟ୍ରପତି ହୋଇଥିଲେ ।

ଜୁନ ୨୦, ୧୯୫୮ରେ ଓଡ଼ିଶାର ମୟୁରଭଞ୍ଜରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ।

 

 

 

ସମ୍ବନ୍ଧିତ ଖବର