ଦ୍ରୌପଦୀ ମୁର୍ମୁ ସର୍ବକନିଷ୍ଠ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଆସନ୍ତା ୨୫ ତାରିଖ‌ରେ ଦ୍ରୌପଦୀ ରାଷ୍ଟ୍ରପତି ଭାବେ ଶପଥ ନେବେ। ୬୪ ବର୍ଷୀୟା ମୁର୍ମୁ ରାଷ୍ଟ୍ରପତି ଭବନରେ ସବୁଠୁ ସର୍ବକନିଷ୍ଠ ରାଷ୍ଟ୍ରପତି । ଷଷ୍ଠ ରାଷ୍ଟ୍ରପତି ନୀଲମ ସଂଜୀବ ରେଡ୍ଡିଙ୍କଠାରୁ ସେ ୧ ମାସ ସାନ। ରେଡ୍ଡି ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ସମୟରେ ତାଙ୍କ ବୟସ ୬୪ ବର୍ଷ ୨ ମାସ ହୋଇଥିଲା। ମୁର୍ମୁ ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି। ତେବେ ମୁର୍ମୁଙ୍କ ଜୀବନରେ ଅନେକ ପ୍ରଥମ ରହିଛି ଏବଂ ସେଗୁଡ଼ିକ ହେଉଛି-

କଲେଜ୍‌ ଯିବାରେ ପ୍ରଥମ : ମୁର୍ମୁଙ୍କ ପିଲାଦିନ ତାଙ୍କ ଗାଁ ଉପରବେଡ଼ାରେ କଟିଛି। ମୁର୍ମୁ ଉଚ୍ଚ ଶିକ୍ଷା ଗ୍ରହଣ କରିବାରେ ତାଙ୍କ ଗାଁରେ ପ୍ରଥମ। ତାଙ୍କ ଗାଁରୁ ସେ ପ୍ରଥମ ଥର ପାଇଁ କଲେଜ୍‌ ଯାଇଥିଲେ। ମୁର୍ମୁ ଭୁବ‌‌ନେଶ୍ବରର ରମାଦେବୀ ଓମେନ୍ସ କଲେଜ୍‌ (ବର୍ତ୍ତମାନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ)ରେ ଅଧ୍ୟୟନ କରୁଥିଲେ। ସେତେବେଳେ ତାଙ୍କ ବାପା ମା’ ତାଙ୍କୁ ମାସିକ ଖର୍ଚ୍ଚ ୧୦ ଟଙ୍କା ଦେଉଥିଲେ।

ସ୍ବାଧୀନତା ପରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି : ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି। ସେ ୧୯୫୮ ଜୁନ୍‌ ୨୦ରେ ଜନ୍ମ ହୋଇଥିଲେ। ତାଙ୍କ ପୂର୍ବରୁ ଯେଉଁମାନେ ରାଷ୍ଟ୍ରପତି ହୋଇଛନ୍ତି ସେମାନେ ସ୍ବାଧୀନତା ପୂର୍ବରୁ ଜନ୍ମ ‌ହୋଇଥିଲେ।

ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ : ୨୦୧୫ରେ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ। ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇ ସେ ଇତିହାସ ସୃଷ୍ଟି କରିଥିଲେ। ୨୦୨୧ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରେ ରହିଥିଲେ ।

ସମ୍ବନ୍ଧିତ ଖବର