ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କର ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଜରିଆରେ ନିଜ ମନର କଥା କହିଛନ୍ତି।
Met Smt. Droupadi Murmu Ji. Her Presidential nomination has been appreciated across India by all sections of society. Her understanding of grassroots problems and vision for India’s development is outstanding. pic.twitter.com/4WB2LO6pu9
— Narendra Modi (@narendramodi) June 23, 2022
ପ୍ରଧାନମନ୍ତ୍ରୀ ମୋଦୀ ନିଜର ଟ୍ବିଟରରେ ଲେଖିଛନ୍ତି, ଦ୍ରୌପଦୀ ମୁର୍ମୁଜୀଙ୍କୁ ସାକ୍ଷାତ କଲି। ତାଙ୍କ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ସମାଜର ସମସ୍ତ ବର୍ଗର ଭାରତୀୟମାନେ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରର ସମସ୍ୟା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ।
ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁ ସକାଳ ୯ଟା ୪୦ରେ ବିମାନବନ୍ଦରରୁ ବିସ୍ତାର ଏୟାରଲାଇନ୍ସ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।
ଭୁବନେଶ୍ୱରସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ଶୁଭେଚ୍ଛୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଗେଷ୍ଟ ହାଉସରୁ ବାହାରି ବିମାନବନ୍ଦରରେ ପହଞ୍ଚିବା ସମୟରେ ଆଦିବାସୀ ମହିଳାମାନେ ଖୁସିରେ ନୃତ୍ୟ କରିବା ଦେଖିବାକୁ ମିଳିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବା ସମୟରେ ତାଙ୍କ ସହ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ଉପସ୍ଥିତ ଥିଲେ। ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସହଯୋଗ କାମନା କରିଥିଲେ ଦ୍ରୌପଦୀ ମୁର୍ମୁ।
ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଓଡ଼ିଶା ଭବନରେ ରହିବେ। ନାମାଙ୍କନପତ୍ର ଦାଖଲ କରି ସାରିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି। ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିପୂର୍ବରୁ ଓଡ଼ିଶା ଭବନରେ ଶ୍ରୀମତୀ ମୁର୍ମୁଙ୍କ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ପହଞ୍ଚି ରହିବା ପାଇଁ କି ଭଳି ବ୍ୟବସ୍ଥା ରହିଛି ସେ ନେଇ ଓଡ଼ିଶା ଭବନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।