ଦିନିକିଆ ଓଡ଼ିଶା ଗସ୍ତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ: ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ବାହାରିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୧୦ଟାରେ ପହଞ୍ଚିବେ। ସେ ଇତିମଧ୍ୟରେ ନୂଆଦିଲ୍ଲୀରୁ ବାହାରିସାରିଲେଣି। ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନକୁ ଯିବେ ଦ୍ରୌପଦୀ ମୁର୍ମୁ। ସେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭା ଆସିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବିଧାନସଭାରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ହେଲେ କୌଣସି କଂଗ୍ରେସ ସାଂସଦ କି ବିଧାୟକ ଦ୍ରୌପଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ। ପୂର୍ବାହ୍ନ ୧୧ଟାରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପୁଣି ରାଜ୍ୟ ଅତିଥି ଭବନକୁ ଯାଇ ବିଜେପି ନେତାମାନଙ୍କୁ ଭେଟିବେ। ତାପରେ ସେ ନବୀନ ନିବାସକୁ ଯାଇ ମଧ୍ୟାହ୍ନ ୧୨ଟା ୪୫ ମିନିଟ ସମୟରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି।

ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଓଡ଼ିଶାର ପାରମ୍ପାରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରରେ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ପାଛୋଟି ନେବେ ଉଭୟ ଦଳର ନେତା।

ସମ୍ବନ୍ଧିତ ଖବର