ନୂଆଦିଲ୍ଲୀ, (ନଇମ ଅଖତାର): ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ଆଜି ବ‌ର୍ଷେ ପୂରିବ। ୨୫ ଜୁଲାଇ ୨୦୨୨ରେ ସେ ପଞ୍ଚଦଶ ରାଷ୍ଟ୍ରପତି ରୂପେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରଠାରୁ ସେ ସକ୍ରିୟତାର ସହ ଦାୟିତ୍ବ ନିର୍ବାହ କରୁଛନ୍ତି। ରାଷ୍ଟ୍ରପତି ରୂପେ ତାଙ୍କର ପ୍ରଥମ ବର୍ଷ ବ୍ୟସ୍ତବହୁଳ ରହିଛି।
ଶପଥ ନେବା ସମୟରେ ସଂସଦର ‌କେନ୍ଦ୍ରୀୟ କକ୍ଷରେ ଓଡ଼ିଶାର ମହାନ ସନ୍ଥକବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନ‌ର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଉକ୍ତି ତାଙ୍କର ଆଗାମୀ କାର୍ଯ୍ୟଶୈଳୀର ସଙ୍କେତ ଦେଇଥିଲା। ଏଥିସହିତ ଦେଶର ଜଣେ ଗରିବ ସ୍ବପ୍ନ ଦେଖି ଏହାକୁ କେମିତି ସାକାର କରିପାରେ ବୋଲି ତାଙ୍କର ସମ୍ବୋଧନ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ନୂଆ ଉଦ୍ଦୀପନା ଆଣିଥିଲା। ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ବକ୍ତବ୍ୟ ସମ୍ବାପତ୍ରଗୁଡ଼ିକର ଶିରୋନାମା ପାଲଟିଥିଲା। ସେ କହିଥିଲେ ଦେଶର ଜେଲଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ବିନା କାରଣରେ ଜେଲଦଣ୍ଡ ଭୋଗି ଚାଲିଛନ୍ତି। ନ୍ୟାୟପାଳିକାକୁ ସେଭଳି ନିର୍ଯାତିତଙ୍କ କଥାକୁ ବିଚାର କରିବାକୁ ପଡିବ ବୋଲି ସେ କହିଥିଲେ। ଜେଲ ନିର୍ଯାତିତଙ୍କ ପାଇଁ ରାଷ୍ଟ୍ରପତି ଅନ୍ତରରୁ କହିଥିବା କଥା କେଇପଦ ସମବେତ ବିଚାରପତି ଓ ଆଇନଜୀବୀଙ୍କୁ ଭାବପ୍ରବଣ କରିଥିଲା। ସମସ୍ତେ ଛିଡ଼ା ହୋଇ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇବା ଦୃଶ୍ୟ ଉଲ୍ଲେଖନୀୟ ଥିଲା। ଏହାର କିଛିଦିନ ପରେ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ନିବେଦନକୁ ସଜ୍ଞାନରେ ନେଇ ଜେଲରେ ବିଚାରାଧୀନ ‌ବନ୍ଦୀଙ୍କ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଥିଲେ।

Advertisment

ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ରୂପେ ରାଷ୍ଟ୍ରପତି ଭବନରେ ଦେଶର ୭୫ ପ୍ରକାର ୧୫୦୦ ନିର୍ଦ୍ଦିଷ୍ଟ ଦୁର୍ବଳ ଆଦିବାସୀ ଗୋଷ୍ଠୀ(ପିଭିଟିଜି)ଙ୍କୁ ପ୍ରଥମ ଥର ପାଇଁ ଏକତ୍ରିତ କରି ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ଆହ୍ବାନ ଦେବା ମଧ୍ୟ ରା‌ଷ୍ଟ୍ରପତିଙ୍କ ପ୍ରଥମ ବ‌ର୍ଷ କାର୍ଯ୍ୟକାଳର ଏକ ପ୍ରମୁଖ ଘଟଣା ରହିଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ତାଙ୍କର ହୃଦୟର କଥାକୁ ପରିପ୍ରକାଶ କରି ଏକ ସକାରାତ୍ମକ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଓ ପୁରୁଷର ସମାନତା ବିଚାରକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ଦ୍ବାରା ଲେଖାଯାଇଥବା ନିବନ୍ଧ ବେଶ୍ ପ୍ରେରଣାଦାୟୀ। ଭାରତର ସର୍ବୋଚ୍ଚ ଆସନରେ ଅଳଙ୍କୃତ ହୋଇ ମଧ୍ୟ ଜୀବନ ସଂଘର୍ଷର କାହାଣୀକୁ ଉଲ୍ଲେଖ କରିବାରେ ସେ କେବେବି କୁଣ୍ଠାବୋଧ କରିନାହାନ୍ତି।

publive-image economictimes.indiatimes.com

ପ୍ରଥମ ବର୍ଷର କାର୍ଯ୍ୟକାଳରେ ରାଷ୍ଟ୍ରପତି ମୁର୍ମୁ ରା‌ଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ନିକଟତର କରିବା ପ୍ରୟାସ ସହିତ ନୂଆ ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି। ତାଙ୍କ ସମୟରେ ହିଁ ରାଷ୍ଟ୍ରପତି ଭବନରେ ରାଜ୍ୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନର ଲାଇବ୍ରେରି ଯେଉଁଠି ୩୩ ହଜାର ପୁସ୍ତକ ଓ ୨୦୦୦ ବିରଳ ପୁସ୍ତକ ରହିଛି ତାହାକୁ ସାଧାରଣ ଜନତାଙ୍କ ପାଇଁ ଅନ ଲାଇନରେ ଉପଲବ୍ଧ କିପରି ହୋଇପାରିବ ତାହାର ମଧ୍ୟ କାର୍ଯ୍ୟ ଶ୍ରୀମତୀ ମୁର୍ମୁଙ୍କ ସମୟରୁ ଆରମ୍ଭ ‌ହୋଇଯାଇଛି। ତାଙ୍କର ଜନ୍ମଦିନକୁ ପରିସରରେ ଥିବା କଲ୍ୟାଣ କେନ୍ଦ୍ରର ପିଲାମାନଙ୍କ ସହିତ ବିତାଇବାର ପରମ୍ପରା ଆରମ୍ଭ କରିଛନ୍ତି। ସ୍ବାଧନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନ ଉଦ୍ୟାନ ମୋଗଲ ଗାର୍ଡେନକୁ ଅମୃତ ଉଦ୍ୟାନ ଭାବେ ନାମିତ କରିବା ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର ଅନ୍ୟ ଏକ ପ୍ରମୁଖ ଘଟଣା।

ନିଜ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସେ ଭାରତ ପକ୍ଷରୁ ବିଟ୍ରେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବା ଏକ ବିଶେଷ ଘଟଣା ରହିଥିଲା। ସୁରିନାମ ଓ ସର୍ବିୟା ଗସ୍ତରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ। ରାଷ୍ଟ୍ରପତି ରୂପେ ବର୍ଷକର କାର୍ଯ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ‌ସାଧାରଣ ଲୋକଙ୍କ ନିକଟରେ ପହଂଚିବା ଓ ସେମାନଙ୍କ ସହିତ ଭାବ ବିନିମୟ କରିବାର ପ୍ରୟାସ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧ କମିଟିର ମୁଖ୍ୟମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବୋଧନ ଏକ ଉଲ୍ଲେଖନୀୟ ଘଟଣା ରହିଥିଲା। ଏହି ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଶପଥ ପାଠ କରାଇବା ସହିତ ୧୩ ଜଣ ରାଜ୍ୟପାଳଙ୍କ ନିଯୁକ୍ତି, ସୁପ୍ରିମକୋର୍ଟର ଦୁଇ ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ରୂପେ ତେଜପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନରେ ଉଡ଼ିବା ତାଙ୍କ ସାହସର ଅନ୍ୟତମ ନିଦର୍ଶନ।