ଡ୍ରୋନ-ନିରୋଧୀ ଜ୍ଞାନକୌଶଳର ବିକାଶ କରୁଛି ଡିଆରଡିଓ : ଅମିତ ଶାହା

ନୂଆଦିଲ୍ଲୀ :  ସୀମା ସେପଟୁ ଆସୁଥିବା ଡ୍ରୋନଗୁଡ଼ିକ ଭାରତୀୟ ସୁରକ୍ଷା ବାହିନୀ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି  । ଏହି ଆହ୍ବାନର ମୁକାବିଲା ଲାଗି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ଏକ ସ୍ବଦେଶୀ ଡ୍ରୋନ ନିରୋଧୀ ଜ୍ଞାନକୌଶଳର ବିକାଶ କରାଯାଉଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସେ କହିଛନ୍ତି ଯେ, ଏହି ଜ୍ଞାନକୌଶଳର ବିକାଶ ପାଇଁ କେନ୍ଦ୍ର ସରକାର କେତେଗୁଡ଼ିଏ ପ୍ରକଳ୍ପକୁ ମଂଜୁର କରିଛନ୍ତି । ଡ୍ରୋନ ମାଧ୍ୟମରେ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିବା ଏକ ବଡ଼ ଆହ୍ବାନ ଭାବେ ଦେଖାଦେଇଛି । ଯଥାଶୀଘ୍ର ଏହି ଆହ୍ବାନର ମୁକାବିଲା କରିବା ଗୁରୁତ୍ବପୂର୍ଣ୍ଣ ।

ସୂଚନାଯୋଗ୍ୟ ଯେ, ଗତ ଜୁନ ଶେଷ ସପ୍ତାହରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଡ୍ରୋନ ଆକ୍ରମଣ, ତା’ପରେ ନିୟମିତ ବ୍ୟବଧାନରେ  ଏଲଓସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ସଂଦିଗ୍ଧ ଡ୍ରୋନ ଉଡ଼ିବା ପ୍ରତିରକ୍ଷା ବାହିନୀ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।  ଏହାର ମୁକାବିଲା ପାଇଁ ବାୟୁ ସେନା ପକ୍ଷରୁ ଦଶଟି ଡ୍ରୋନ ନିରୋଧୀ ବ୍ୟବସ୍ଥା ଖରିଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେହିପରି ଏନଏସଜି ପକ୍ଷରୁ ଜମ୍ମୁରେ ଡ୍ରୋନ ନିରୋଧୀ ଉପକରଣ ଖଞ୍ଜା ଯାଇଛି ।

ସମ୍ବନ୍ଧିତ ଖବର