ଡିଆରଡିଓର ଏହି ଟେକ୍ନୋଲୋଜି ଶତ୍ରୁର କ୍ଷେପଣାସ୍ତ୍ର ଆକ୍ରମଣରୁ ନୌସେନାର ଯୁଦ୍ଧ ଜାହାଜକୁ ସୁରକ୍ଷା ଦେବ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏକ ଅତ୍ୟାଧୁନିକ ସାଫ୍ ଟେକ୍ନୋଲୋଜିର ବିକାଶ କରିଛି । ଏହି ଟେକ୍ନୋଲୋଜି ବ୍ୟବହାର କରି ଭାରତୀୟ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକୁ ଶତ୍ରୁପକ୍ଷର ମିସାଇଲ ବା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରାଯାଇପାରିବ ।

ଯୋଧପୁରସ୍ଥିତ ଡିଆରଡିଓର ଏକ ଲାବରେଟୋରି ପକ୍ଷରୁ ଏହି ଟେକ୍ନୋଲୋଜି ବ୍ୟବହାର କରି ତିନି ପ୍ରକାରର ରକେଟ ପ୍ରସ୍ତୁତ କରାଯାଇଛି । ସେଗୁଡ଼ିକ ହେଉଛି ସ୍ବଳ୍ପ ଦୂରଗାମୀ ସାଫ୍ ରକେଟ୍, ମଧ୍ୟମ ଦୂରଗାମୀ ସାଫ ରକେଟ୍ ଓ ଦୂରଗାମୀ ସାଫ ରକେଟ୍ । ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏସବୁ ରକେଟ୍ ଭାରତୀୟ ନୌସେନାର ଆବଶ୍ୟକତା ପୂରଣ କରିପାରିବ ବୋଲି ଡିଆରଡିଓ ଦାବି କରିଛି । ନିକଟରେ ନୌସେନା ପକ୍ଷରୁ ଏସବୁ ରକେଟର ବ୍ୟାବହାରିକ ପରୀକ୍ଷଣ ଆରବ ସାଗରରେ ଥିବା କେତେକ ଯୁଦ୍ଧ ଜାହାଜରୁ କରାଯାଇଥିଲା । ଏଗୁଡ଼ିକର ପରୀକ୍ଷଣ ସନ୍ତୋଷଜନକ ଥିବା ଡିଆରଡିଓ କହିଛି ।

ବିଶ୍ବର ପ୍ରମୁଖ ନୌସେନାଗୁଡ଼ିକ ଏହି ଟେକନଲୋଜୀ ବ୍ୟବହାର କରି ନିଜ ନିଜର ଜାହାଜର ସୁରକ୍ଷା କରିଥାନ୍ତି । ଏହି ଟେକନଲୋଜୀ ଏତେ ପ୍ରଭାବୀ ଯେ ଅଳ୍ପ ପରିମାଣରେ ସାଫ୍ ପଦାର୍ଥ ବାୟୁମଣ୍ଡଳରେ ଥିଲେ ତାହା ଶତ୍ରୁର ମିସାଇଲକୁ ବାଟବଣା କରି ନଷ୍ଟ କରିଦିଏ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର