ଡିଆରଡିଓ ପ୍ରସ୍ତୁତ କଲା ସ୍ବତନ୍ତ୍ର ପ୍ରକାରର ଅକ୍ସିଜେନ ସିଲିଣ୍ଡର, କରୋନା ସମୟରେ ବରଦାନ ସାବ୍ୟସ୍ତ ହେବ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ୨ୟ ଲହର ଚାଲିଥିବାବେଳେ ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଡିଆରଡିଓ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରକାରର ଅକ୍ସିଜେନ ଡେଲିଭରୀ ସିଷ୍ଟମ ତିଆରି କରାଯାଇଛି ଯାହାକି ବର୍ତ୍ତମାନର ପରିସ୍ଥିତିର ବେଶ ଉପଯୋଗୀ ହୋଇପାରିବ ।

ଏହି ଏସପିଓଟୁ ଭିତ୍ତିକ ଅକ୍ସିଜେନ ଡେଲିଭରୀ ସିଷ୍ଟମକୁ ମୁଖ୍ୟତଃ ଉଚ୍ଚ ପାହାଡ଼ିଆ ଅଂଚଳରେ ମୁତୟନ ହୋଇଥିବା ସୈନିକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଉଚ୍ଚ ପାର୍ବତ୍ୟାଞ୍ଚଳରେ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ କମ ଥିବାରୁ ସୈନିକମାନଙ୍କ ରକ୍ତରେ ବି ଅମ୍ଳଜାନ ପରିମାଣ କମିଯାଏ । ଫଳରେ ସେମାନେ ହାଇପକ୍ସିଆ ନାମକ ସ୍ଥିତିରେ ପଡ଼ିଯାଆନ୍ତି, ଯାହାକି ମୃତ୍ୟୁର କାରଣ ହୋଇଥାଏ । ଏହି ସମସ୍ୟାର ସମାଧାନ କରିବାକୁ ଡିଆରଡିଓ ବିଗତ କିଛି ବର୍ଷର ଗବେଷଣା ପରେ ଏହି  ଅକ୍ସିଜେନ ଡେଲିଭରୀ ସିଷ୍ଟମକୁ ପ୍ରସ୍ତୁତ କରିଛି ।

କରୋନା ରୋଗୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ରକ୍ତରେ ଅମ୍ଳଜାନର ପରିମାଣ କମିଯାଉଥିବାରୁ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ । ଏଣୁ ଡିଆରଡିଓର  ନୂଆ ଅକ୍ସିଜେନ ଡେଲିଭରୀ ସିଷ୍ଟମଟି କରୋନା ରୋଗୀଙ୍କ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ । ବିଶେଷକରି ଏହି ଉପକରଣଟି ଶସ୍ତା ଓ ବ୍ୟବହାର କରିବାକୁ ସହଜ ହୋଇଥିବାରୁ ତାହା ବର୍ତ୍ତମାନର ପରିସ୍ଥିତିରେ ବେଶ ଉପଯୋଗୀ ହେବ ।

ସମ୍ବନ୍ଧିତ ଖବର