ହନିଟ୍ରାପ୍‌ରେ ଫସି ହୋଟେଲ୍‌ରେ ବନ୍ଦୀ ହୋଇଥିବା ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଜାଲ ବିଛାଇ ମୁକୁଳାଇଲା ପୁଲିସ୍

ନୋଇଡ଼ା:  ଡିଫେନ୍ସ ରିସର୍ଚ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ୍‌ ଅର୍ଗାନାଇଜେସନ୍(ଡିଆର୍‌ଡିଓ)ର ଜଣେ ଯୁବ ବୈଜ୍ଞାନିକ ହନି ଟ୍ରାପ୍‌ରେ ଛନ୍ଦି ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ୩୫ ବର୍ଷିଅ ଏହି ଯୁବ ବୈଜ୍ଞାନିକଙ୍କୁ ଏକ  ଓୟୋ ହୋଟେଲ୍‌ରେ ୫ ଜଣ ମିଶି ପୂରା ଦିନକ ପାଇଁ ବନ୍ଦୀ କରି ରଖିବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିବା ଅଭି‌ଯୋଗ ହେ‌ାଇଛି। ପୁଲିସ୍‌ ଖବର ପାଇବା ମାତ୍ରେ କୌଶଳ ଅବଲମ୍ବନ କରି ବୈଜ୍ଞାନିକଙ୍କୁ ସେଠାରୁ ମୁକୁଳାଇଥିବା ସୂଚନା ରହିଛି।

ଅବଶ୍ୟ ଏଭଳି ଘଟଣା ନୋଇଡାରେ ନୂଆ ନୁହେଁ। ମାତ୍ର ଆଶ୍ଚର୍ଯ୍ୟଜନକ କଥା ହେଉଛି, ହନିଟ୍ରାପ୍‌ ବିଛାଇଥିବା ସୁନୀତା ଗୁର୍‌ଜାର ବା ବବ୍‌ଲି ନାମ୍ନୀ ଏହି ମହିଳା ଜଣକ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ନିଜକୁ ସ୍ଥାନୀୟ ବିଜେପି ‘ମଣ୍ଡଳ’ର ମୁଖ୍ୟ ବୋଲି ଉଲ୍ଲେଖ କରି ସମସ୍ତଙ୍କ ଧ୍ୟାନ ନିଜ ଆଡ଼େ କେନ୍ଦ୍ରିତ କରୁଥିଲେ। କେବଳ ସେତିକି ନୁହେଁ, ସେ ନଜକୁ ବିଗ୍‌ବସ୍‌-୧୦ର ବିଜେତା ମନଭୀର ଗୁର୍‌ଜାରଙ୍କ ସଂପର୍କୀୟ ବୋଲି ଦାବି କରିବା ସହ ସୋ’ର ‌ହୋଷ୍ଟ୍‌ ସଲ୍‌ମାନଙ୍କ ସହ ତାଙ୍କର ଏକ ଫଟୋ ‌ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ବାସ୍ତବ କଥା ହେଉଛି ସେ ବିଜେପିର ଜଣେ ପୂର୍ବତନ କର୍ମୀ ହୋଇଥିବା ବେଳେ ମନଭୀରଙ୍କ ଗାଁ ଝିଅ, ସଂପର୍କୀୟା ନୁହଁନ୍ତି।

ରବିବାର ରାତିରେ ନୋଇଡା ସେକ୍ଟର ୪୧ ହୋଟେଲରୁ ପୁଲିସ୍‌ ଗିରଫ କରିଥିବା ତିନି ଜଣଙ୍କ ମଧ୍ୟରେ ସୁନୀତା ଥିଲେ। ପୁଲିସ୍‌ ଏହି ହନିଟ୍ରାପ୍‌ରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି। “ମସାଜ ପାର୍ଲର” ସେବା ପ୍ରଦାନ କରିବାର ବାହାନାରେ ଏହି ଗ୍ୟାଙ୍ଗ‌ ଅନେକ ଲୋକଙ୍କୁ ଠକିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସେକ୍ଟର ୭୪ର ସୁପରଟେକ୍  କ୍ୟାପଟାଉନର ବାସିନ୍ଦା ଯୁବ ବୈଜ୍ଞାନିକ ଜଣକ ଅଜାଣତରେ ସୁନୀତା ଏବଂ ତାଙ୍କ ସହାୟକମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଅନ୍‌ଲାଇନ୍‌ରେ ‘ମସାଜ ପାର୍ଲର’ ପାଇଁ ସର୍ଚ କରୁ କରୁ ଦିଆ ଯାଇଥିବା ନମ୍ବରରେ ଫୋନ୍‌ କରିବାରୁ ଫୋନ୍‌ ଆରପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଲଜିକ୍ସ ସିଟି ସେଣ୍ଟରକୁ ଆସିବାକୁ କହିଥିଲେ।


Times of India

ଶନିବାର ସନ୍ଧ୍ୟାରେ ବୈଜ୍ଞାନିକ ତାଙ୍କ ହୋଣ୍ଡା ସିଟିରେ ସେଠାରେ ପହଞ୍ଚି କାର ପାର୍କିଂ କରିବା ପରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଭେଟି ଅନ୍ୟ ଏକ କାରରେ ଓୟୋ ଦ୍ୱାରା ପରିଚାଳିତ କୁନାଲ ରେସିଡେନ୍ସିକୁ ନେଇ ଯାଇଥିଲେ। ପୁଲିସ୍‌ ସୂଚନା ମୁତାବକ ପାଞ୍ଚ ଜଣିଆ ଗ୍ୟାଙ୍ଗ ତାଙ୍କୁ ସେଠାକୁ ନେବା ପରେ ଏକ କୋଠରୀରେ ତାଲା ପକାଇ ରଖିବା ସହ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି ୧୦ ଲକ୍ଷ ଟଙ୍କା ମାଗିଥିଲେ।

ପ୍ରାୟ ୧୪  ଘଣ୍ଟା ଧରି ବୈଜ୍ଞାନିକଙ୍କ ପତ୍ନୀ ଟଙ୍କା ପାଇଁ ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେ ତାହା କରିବାରେ ବିଫଳ ହୋଇଥିଲେ ସେତେବେଳେ ସେ ପୁଲିସ୍‌ ସହାୟତା ଲୋଡ଼ିଥିଲେ। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ୩ଟି ପୁଲିସ୍‌ ଟିମ୍‌ ଗଠନ କରାଗଲା। ପୁଲିସ୍‌ ବୈଜ୍ଞାନିକଙ୍କ ପତ୍ନୀ ହାତରେ ନଗଦ ଟଙ୍କା ଦେଇ ସେମାନଙ୍କ ନିକଟକୁ ପଠାଇବା ସହ ଲୁଚି ରହିଥିଲା। ଗ୍ୟାଙ୍ଗ୍‌ର ସଦସ୍ୟମାନେ ଟଙ୍କା ପାଇଁ ଆସିବା ବେଳେ ପୁଲିସ୍‌ ଘେରାଉ କରିଥିଲା। ଘଟଣାସ୍ଥଳରୁ ଜଣଙ୍କୁ ଧରିବାରେ ପୁଲିସ୍‌ ସମର୍ଥ ହୋଇଛି। ଅନ୍ୟ ଦୁଇ ଜଣ ଖସି ପଳାଇଛନ୍ତି।  ହୋଟେଲରେ ମ୍ୟାନେଜର ରାକେଶ ଏବଂ ସୁନୀତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଗିରଫ କରାଯାଇଥିଲା। ପଳାଇଥିବା ଦୁଇଜଣଙ୍କ ନାମ ଅନିଲ ଶର୍ମା ଏବଂ ଆଦିତ୍ୟ କୁମାର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର