ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ଗିରଫ

ମୁମ୍ବାଇ : ପାକିସ୍ତାନକୁ ସମ୍ବେଦନଶୀଳ ତଥ୍ୟ ଦେବା ଅଭିଯୋଗରେ ମହାରାଷ୍ଟ୍ର ଆଣ୍ଟି ଟେରରିଜିମ ସ୍କ୍ୱାଡ୍ (ଏଟିଏସ୍) ଗୁରୁବାର ପୁଣେର ଡିଆରଡିଓ ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡକ୍ଟର ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ।

ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ ବୈଜ୍ଞାନିକ କୁରୁଲକରଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା (ପିଆଇଓ)ର ଜଣେ ବ୍ୟକ୍ତି (ସମ୍ଭବତଃ ଜଣେ ଯୁବତୀ) ହନିଟ୍ରାପ୍ ରେ ଫସାଇ ଦେଇଥିଲେ। ଏହାପରେ ଅଭିଯୁକ୍ତ ବୈଜ୍ଞାନିକ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ପାକିସ୍ତାନରୁ ଆସିଥିବା ବ୍ୟକ୍ତିଙ୍କୁ ଦେବା ଆରମ୍ଭ କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ ଫେବ୍ରୁଆରି ମାସରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଜାଣିବାକୁ ପାଇଥିଲେ ଯେ ବୈଜ୍ଞାନିକ ପ୍ରଦୀପ କୁରୁଲକର ଅଜାଣତରେ ହନିଟ୍ରାପ୍ ରେ ଫସି ଯାଇଛନ୍ତି। ଭିଡିଓ ଚାଟ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଜରିଆରେ ସେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ସହ ଯୋଗାଯୋଗରେ ଅଛନ୍ତି। ଏହାପରେ ଡିଆରଡିଓକୁ ଏହି ସୂଚନା ଦିଆଯାଇଥିଲା ।

ପୂରା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡିଆରଡିଓର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହାପରେ ମହାରାଷ୍ଟ୍ର ଏଟିଏସ୍ ଏହି ମାମଲାର ତଦନ୍ତ କରିଥିଲା ଏବଂ ଡ.  କୁରୁଲକରଙ୍କୁ ଗିରଫ କରାଯାଇଥିଲା। କୁରୁଲକର ଚଳିତ ବର୍ଷ ନଭେମ୍ବରରେ ଅବସର ନେଇଥାନ୍ତେ । ଏଯାବତ୍ ହୋଇଥିବା ତଦନ୍ତରେ ତଦନ୍ତକାରୀ ଏଜେନ୍ସି ଜାଣିବାକୁ ପାଇଥିଲେ ଯେ ଅଜାଣତରେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ସଂସ୍ପର୍ଶରେ ଆସିଥିଲେ ।

ସମ୍ବନ୍ଧିତ ଖବର