ସାଣ୍ଟ୍ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବନେଶ୍ୱର/ଚାନ୍ଦିପୁର : ସୋମବାରଦିନ ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳରୁ ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଷ୍ଟାଣ୍ଡ ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ(ଏସଏଏନଟି ବା ସାଣ୍ଟ୍)ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିସାଇଲକୁ ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇଥିଲା ଓ ଏହା ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିଥିଲା ।

ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟର, ଓଜନ ୪୩ କିଲୋଗ୍ରାମ, ଲମ୍ବ ୧.୮୫ ମିଟର, ଏଥିରେ ୮ କିଲୋଗ୍ରାମ ପର୍ୟ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ଗତ କାଲି ଭାରତ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ ନାଭାଲ ଭର୍ସନର ସଫଳ ପରୀକ୍ଷଣ କରିଥିଲା । ଏହାକୁ ଭାରତୀୟ ନୌସେନାର ଷ୍ଟିଲଥ ଡେଷ୍ଟ୍ରୟର ଆଇଏନଏସ ଚେନ୍ନାଇରୁ ନିକ୍ଷେପ କରାଯାଇଥିଲା ଓ ଏହା ନିର୍ଭୁଲ ଭାବେ ନିଜର ଲକ୍ଷଭେଦ କରିଥିଲା ।

ଭାରତ ଚୀନ ଉତ୍ତେଜନା ମଧ୍ୟରେ ଗତ କିଛି ସପ୍ତାହରେ ଭାରତ ନିୟମିତ ଭାବେ କ୍ଷେପଣାସ୍ତ୍ର ପରୀକ୍ଷା କରିଚାଲିଛି । ଗତ ୩୫ ଦିନରେ ଭାରତ ପକ୍ଷରୁ ୧୦ଟି ଭିନ୍ନ ଭିନ୍ନ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି । ଏସବୁ ମିସାଇଲ ମଧ୍ୟରେ ରହିଛି ବ୍ରହ୍ମୋସ, ପୃଥ୍ବୀ-୨, ଆଣ୍ଟି-ରେଡିଏସନ ମିସାଇଲ ଋଦ୍ରମ-୧, ହାଇପରସୋନିକ ମିସାଇଲ ଶୌର୍ଯ୍ୟ । ଏହା ଦ୍ବାରା ଭାରତ ଚୀନ ଓ ପାକିସ୍ତାନକୁ ନିଜର ଶକ୍ତି ସମ୍ପର୍କରେ ଅବଗତ କରାଇଛି ।

ସମ୍ବନ୍ଧିତ ଖବର