ଭୟଙ୍କର ସତ୍ୟର ଖୁଲାସା କଲେ ପର୍‌ଭେଜ୍‌ ମୁସରଫ୍‌; ଭାରତରେ ଆତଙ୍କବାଦୀ ହାମ୍‌ଲା ପାଇଁ ଜୈସ୍‌କୁ ବ୍ୟବହାର କରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା

ଇସ୍‌ଲାମାବାଦ/ ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାମୁଖ୍ୟ ପର୍‌ଭେଜ୍‌ ମୁସରଫ୍‌ ଆଜି ଏକ ଭୟଙ୍କର ସତ୍ୟର ଖୁଲାସା କରିବା ସହ ପାକିସ୍ତାନର ଅସଲ ମୁଖାକୁ ସମଗ୍ର ବିଶ୍ୱ ସମ୍ମୁଖରେ ଖୋଲି ଦେଇଛନ୍ତି। ମୁସରଫ୍‌ ସ୍ୱୀକାର କରି କହିଛନ୍ତି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତା’ ନିଜ କାର୍ଯ୍ୟ ହାସଲ କରିବା ପାଇଁ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)କୁ ବ୍ୟବହାର କରିବା ସହ ଭାରତରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଉଦ୍ଦେଶ୍ୟରେ ମୁତୟନ କରିଥାଏ।

ଏକ ପାକିସ୍ତାନୀ ଟିଭି ଚ୍ୟାନେଲକୁ ଟେଲିଫୋନ୍‌ରେ ସାକ୍ଷାତକାର ଦେଇ ପାକିସ୍ତାନର ଏହି ସାମରିକ ଶାସକ ବିଭିନ୍ନ କାରଣ ଦର୍ଶାଇ କହିଛନ୍ତି ଯେ ସେ କାହିଁକି ତାଙ୍କ ଶାସନ କାଳରେ ଏହି ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲେ। ଯିଏକି ୨୦୦୩ରେ ତାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଉପରେ ଆତ୍ମଘାତୀ ହାମ୍‌ଲା କରିବାକୁ ସୁଦ୍ଧା କୁଣ୍ଠିତ ହୋଇ ନଥିଲା; ସେ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଛନ୍ତି।

‘ଏବେ ଜେଇଏମ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିବାରୁ ମୁଁ ବହୁତ ଖୁସି। ମୁଁ ସବୁବେଳେ କହି ଆସିଛି ଯେ ଜେଇଏମ୍‌ ହେଉଛି ଏକ ଆତଙ୍କବାଦୀ ସଂଗଠନ। ୨୦୦୩ରେ ଜେଇଏମ୍‌ ରାଓଲପିଣ୍ଡିର ଝାଣ୍ଡା ଚିଚିରେ ମୋତେ ହତ୍ୟା କରିବା ପାଇଁ ଆତ୍ମଘାତୀ ବୋମାର ପ୍ରୟୋଗ କରିଥିଲା। ମାତ୍ର ଆତ୍ମଘାତୀ ବୋମା ଜଣକ ସୁଇଚ୍‌ ଟିପିବାରେ କିଛି ସେକେଣ୍ଡର ବିଳମ୍ବ ଘଟିବାରୁ ମୁଁ ବର୍ତ୍ତି ଯାଇଥିଲି,’ ବୋଲି କହିଛନ୍ତି ମୁସାରଫ୍‌।

 

ପାକିସ୍ତାନର ସେନାମୁଖ୍ୟରୁ ଏକ ସାମରିକ ବିଦ୍ରୋହ ଜରିଆରେ ଅକ୍ଟୋବର ୧୨, ୧୯୯୯ରେ ରାଷ୍ଟ୍ର ମୁଖ୍ୟ ପାଲଟି ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ଶାସନ କ୍ଷମତାକୁ ନିଜ ହାତରେ ରଖିଥିବା ଜେନେରାଲ ପରଭେଜ୍‌ ମୁସରଫ୍‌ ଏହି ସାକ୍ଷାତକାରରେ କହିଛନ୍ତି, ‘ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତା’ ନିଜ କାର୍ଯ୍ୟ ହାସଲ କରିବା ପାଇଁ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)କୁ ବ୍ୟବହାର କରିବା ସହ ଭାରତରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଉଦ୍ଦେଶ୍ୟରେ ମୁତୟନ କରିଥାଏ। ସେଥିପାଇଁ ଜୈସ୍‌ ମୁଖିଆ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରିଥାଏ ପାକିସ୍ତାନ। ଏବେ ଅନ୍ତର୍ଜାତିକ ଚାପ ଆଗରେ ମୁଣ୍ଡ ନୁଆଇ ଇମ୍ରାନ୍‌ଙ୍କ ସରକାର ଜେଇଏମ୍‌ର କିଛି ଅନ୍ୟ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ, ଖୋଦ୍‌ ପାକିସ୍ତାନରେ ମହଜୁଦ୍‌ ଥିବା ଜୈସ୍‌ ମୁଖିଆ ମୌଲାନା ମୂସୁଦ୍‌ ଆଝାର ଦେହରେ ହାତ ମାରିବାକୁ ସାହସ ଜୁଟାଇ ପାରି ନଥିବା ହେଉଛି ଏହାର ବଡ଼ ପ୍ରମାଣ,’ ବୋଲି ନିଜେ ସ୍ୱୀକାର କରିଛନ୍ତି ପରଭେଜ ମୁସରଫ୍‌।

ସମ୍ବନ୍ଧିତ ଖବର