ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ ଇନ୍ଧନରେ (ଫ୍ଲେକ୍ସ ଫୁଏଲ) ଚାଳିତ ଦୁଇ ଚକିଆ ଯାନ ଉପରେ ଉତ୍ପାଦ ଓ ସେବା ଟିକସ (ଜିଏସ୍‌ଟି)କୁ ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ଦେଶର ଅଟୋମୋବାଇଲ ସଂଘ ସିଆମ୍‌ ଦାବି କରିଛି। ଟିକସ ହ୍ରାସ ପାଇଲେ ଦେଶରେ ଇଥାନଲ ମିଶ୍ରିତ ଇନ୍ଧନ‌ରେ ପରିଚାଳିତ ଗାଡ଼ିର ବ୍ୟବହାର ବୃଦ୍ଧି ପାଇବ। ବ୍ଲେଣ୍ଡେଡ ଇନ୍ଧନ ଉତ୍ପାଦନ ଦ୍ବାରା କୃଷକମାନେ ଉପକୃତ ହେଉଛନ୍ତି। କାରଣ ପେଟ୍ରୋଲ ଏବଂ ଡିଜେଲରେ ଯେଉଁ ଇଥାନଲ ମିଶୁଛି ତାହା ଚିନି କାରଖାନାରୁ ବାହାରୁଥିବା ମୋ‌ଲାସେସରୁ ଉତ୍ପାଦନ ହେଉଛି। ଏଥିସହିତ ବର୍ଜ୍ୟ ଖାଦ୍ୟସାମଗ୍ରୀକୁ ମଧ୍ୟ ଇଥାନଲ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ବର୍ତ୍ତମାନ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ଇନ୍ଧନରେ ପରିଚାଳିତ ଦୁଇ ଚକିଆ ଯାନ ଭାରତରେ ଉପଲବ୍ଧ ହେଉଛି। ଏଗୁଡ଼ିକୁ ‘ଇ୨୦’ କମ୍ପାଟିବଲ୍‌ ଗାଡ଼ି କୁହାଯାଉଛି। ଏଥିସହିତ ଉକ୍ତ ଇନ୍ଧନର ମୂଲ୍ୟ ଉପରେ ଗ୍ୟାରେଣ୍ଟି ଦେବାଲାଗି ମଧ୍ୟ କୁହାଯାଇଛି।

Advertisment

ଦେଶରେ ଇନ୍ଧନରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣକୁ ୨୦୨୫ ମସିହାରୁ ବାଧ୍ୟତାମୂଳକ କରାଯିବ। ଏଥିଯୋଗୁ ଗାଡ଼ି ମୂଲ୍ୟ ବଢ଼ିବା ସମ୍ଭାବନା ରହିଛି। ଫ୍ଲେକ୍ସ ଫୁଏଲ ଗାଡ଼ି ଦେଶରେ ଅଧିକ ସଂଖ୍ୟାରେ ଚାଲିଲେ ପେଟ୍ରୋଲ ଓ ଡିଜେଲ ଆମଦାନି ହ୍ରାସ ପାଇବ। ଏଥିସହିତ ପ୍ରଦୂଷଣ ମଧ୍ୟ କମିବ। କିନ୍ତୁ ଅନ୍ୟପକ୍ଷରେ ବ୍ଲେଣ୍ଡେଡ୍‌ ଇନ୍ଧନର କ୍ୟାଲୋରି କମ୍ ରହିବା କାରଣରୁ ଗାଡ଼ିର ମାଇଲେଜ୍‌ କମ୍ ରହିବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦେଶରେ ଫ୍ଲେକ୍ସ ଫୁଏଲ ଇନ୍ଧନରେ ପରିଚାଳିତ ଗାଡ଼ି ଚଳାଚଳକୁ ଉତ୍ସାହିତ କରିବା ଲାଗି ଏକ ନୀତି ପ୍ରସ୍ତୁତ ହେଉଥିବାବେଳେ ସିଆମ ଜିଏସ୍‌ଟି ହ୍ରାସ ଦାବି କରିଛି।