ବେଙ୍ଗାଲୁୁରୁ: ଗତରାତିରେ ବେଙ୍ଗାଲୁରୁରେ ଅତି ପ୍ରବଳ ନିରବଚ୍ଛିନ୍ନ ବର୍ଷା ହେବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ସ୍ଥାନାନ୍ତରଣ ନିମନ୍ତେ ଡଙ୍ଗାର ବ୍ୟବସ୍ଥା କରିଛନ୍ତି। ଏଭଳି ସ୍ଥିତିକୁ ଦେଖି ବେଙ୍ଗାଲୁରୁର କିଛି ଅଂଶରେ ପାନୀୟ ଜଳ ଯୋଗାଣ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। କାରଣ କାବେରୀ ନଦୀରୁ ସହରକୁ ଜଳ ଯୋଗାଉଥିବା ପମ୍ପିଂ ଷ୍ଟେସନ ଜଳମଗ୍ନ ହୋଇ ରହିଛି। ବେଙ୍ଗାଲୁରୁକୁ ଲକ୍ଷ ଲକ୍ଷ ଲିଟର ଜଳ ଯୋଗାଉଥିବା ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲୁଏସ୍ବି) ପମ୍ପିଂ ଷ୍ଟେସନ ବର୍ତ୍ତମାନ ପାଣିରେ ବୁଡ଼ି ରହିଛି।
ବର୍ଷା ପ୍ରଭାବିତ ବେଙ୍ଗାଲୁରୁର ପ୍ରାୟ ୫୦ଟି ଅଞ୍ଚଳକୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରିବନାହିଁ। ସଂଗୃହୀତ ସୂଚନା ଅନୁସାରେ, ସବୁଠୁ ଅଧିକ ବର୍ଷା ପ୍ରଭାବିତ ଅଞ୍ଚଳରେ ରହିଛି ବେଲ୍ଲାଣ୍ଡୁର୍, ସାରଜାପୁରା ରୋଡ୍, ହ୍ବାଇଟ୍ଫିଲ୍ଡ୍, ବାହାର ରିଙ୍ଗ୍ରୋଡ୍ ଏବଂ ‘ବିଇଏମ୍ଏଲ୍ ଲେଆଉଟ୍’।
ଘଣ୍ଟା ଘଣ୍ଟା ଧରି ବର୍ଷା ବର୍ଷିବା ହେତୁ କର୍ଣ୍ଣାଟକର ରାଜଧାନୀରେ ଜଳାର୍ଣ୍ଣବ ହୋଇ ଯାଇଥିବା ଅନେକ ଅଞ୍ଚଳର ଫଟୋ ଲୋକେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ମରାଠାହାଲ୍ଲୀର ସ୍ପାଇସ୍ ଗାର୍ଡେନ୍ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ବେଳେ ପାଣି ଜମିବା କାରଣରୁ ସ୍ପାଇସ୍ ଗାର୍ଡେନ୍ରୁ ହ୍ବାଇଟ୍ଫିଲ୍ଡ୍କୁ ପଡ଼ିଥିବା ରାସ୍ତା ଅବରୋଧ ହୋଇଯାଇଛି।
ବର୍ଷା ଯୋଗୁଁ କେତେକ ଉନ୍ନତ ଆପାର୍ଟମେଣ୍ଟ୍ ପରିସରରେ ପ୍ରଥମ କରି ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏଥିପାଇଁ ସେଠାକାର ବାସିନ୍ଦାମାନେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ସହଯୋଗ ଲୋଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-50.jpg)