ଡ଼ିଏସପିଙ୍କୁ ଟ୍ରକ ଚଢାଇ ହତ୍ୟା କରିଥିବା ଡ୍ରାଇଭରକୁ ରାଜସ୍ଥାନରୁ ଗିରଫ କଲା ପୁଲିସ

ଚଣ୍ଡୀଗଡ଼: ହରିୟାଣାରେ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିବା ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି | ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତର ନାମ ମିତ୍ତର ବୋଲି କୁହାଯାଉଛି। ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ରାଜସ୍ଥାନର ଭରତପୁର ଜିଲ୍ଲାରୁ ମିତ୍ତରକୁ ଗିରଫ କରାଯାଇଛି | ସୂଚନା ଥାଉ କି ଯେ ମଙ୍ଗଳବାର ଦିନ ପୋଲିସ ଇକ୍କର ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା। ଇକ୍କର, ଡମ୍ପରରେ ହେଲପର ଭାବରେ କାମ କରୁଥିଲା | ଉଲ୍ଲେଖ ଥାଉ କି ଗତକାଲି ତାଉରୁ ଡିଏସ୍‌ପି ସୁରେନ୍ଦ୍ର ସିଂହ ଏବଂ ତାଙ୍କ ଟିମ୍‌ ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ନୁହ ଜିଲ୍ଲାର ପଚଗାଓଁ ଅଞ୍ଚଳ ନିକଟସ୍ଥ ଆରାବଳୀ ପର୍ବତରେ ଚାଲିଥିବା ବେଆଇନ ଖଣି ଖନନ କାର୍ଯ୍ୟ ଉପରେ ଚଢ଼ଉ ପାଇଁ ଯାଇଥିଲେ। ବେଆଇନ ଭାବେ ପଥର ନେଉଥିବା ଡମ୍ପରକୁ ଅଟକାଇବା ପାଇଁ ସେ ନିଜର ଟିମ୍‌ ସହ ପହଞ୍ଚିଥିଲେ।

ଚଢ଼ଉ ସମୟରେ ସେ ପଚଗାଓଁ ଗ୍ରାମ ନିକଟରେ ଏକ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥି‌ଲେ। କାଗଜପତ୍ର ଯାଞ୍ଚ କରିବା ପାଇଁ ସିଂହ ଟ୍ରକ୍‌ ଡ୍ରାଇଭରକୁ ଅଟକିବା ପାଇଁ ସଙ୍କେତ ଦେଇଥିଲେ। କିନ୍ତୁ, ଡ୍ରାଇଭର୍‌ ଗାଡ଼ି ଅଟକାଇବା ବଦଳରେ ଗାଡ଼ିର ବେଗ ବଢ଼ାଇ ଡିଏସ୍‌ପିଙ୍କ ଉପରେ ଗାଡ଼ି ମଡ଼ାଇ ଚାଲି ଯାଇଥିଲା। ଡିଏସ୍‌ପିଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଡ୍ରାଇଭର ଓ ହେଲ୍ପର ଖସି ପଳାଇଥିଲେ। ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟର୍‌ରେ ଟ୍ରକର ହେଲ୍ପର ଆହତ ହୋଇଥିଲା |

ତେବେ ଆଜି ଡ୍ରାଇଭରକୁ ଗିରଫ କରାଯାଇଛି | ଉଲ୍ଲେଖଯୋଗ୍ୟ ଯେ ୫୯ବର୍ଷୀୟ ଡିଏସ୍‌ପି ସୁରେନ୍ଦ୍ର ସିଂହଙ୍କ ଘର ହରିୟାଣାର ହିସାରରେ। ୧୯୯୪ ମସିହାରେ ସେ ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ଭାବେ ହରିୟାଣା ପୁଲିସରେ ଯୋଗ ଦେଇଥିଲେ। ଆଉ ୪ମାସ ପରେ ସେ ଅବସର ନେଇଥା’ନ୍ତେ। ମାତ୍ର, ତା’ପୂର୍ବରୁ ଖଣି ମାଫିଆଙ୍କ ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର