ନୂଆଦିଲ୍ଲୀ: ଗାଡ଼ି ଚାଳନାରେ ଅବହେଳା କରିଥିବା କାରଣରୁ ଶନିବାର ଦିନ ଦିଲ୍ଲୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଗାଡ଼ି ସହିତ ଯାଉଥିବା ଗାଡ଼ିର ଜଣେ ଡ୍ରାଇଭର୍‌ଙ୍କୁ ପୁଲିସ ଅଟକ ରଖିଥିଲା ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Advertisment

ପଚରା ଉଚରା ପରେ ତାଙ୍କୁ ପୁଣି ଛାଡ଼ି ଦିଆଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍‌ ସହିତ ଯାଉଥିବା କେତୋଟି କାର୍‌ ମଧ୍ୟରୁ ଗୋଟିଏ ‘ୟୁଏଇ’ର ରାଷ୍ଟ୍ରପତି ମହମ୍ମଦ୍‌ ବିନ୍‌ ଜାୟେଦ୍‌ ଅଲ୍‌ ନାହିୟାନ୍‌ ରହୁଥିବା ‌‘ତାଜ୍‌ ହୋଟେଲ୍‌’କୁ ପଶିଯାଇଥିଲା।

ସେ କାର୍‌ଟିରେ କେତୋଟି ଷ୍ଟିକର୍‌ ଲଗାଯାଇଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ନିରାପତ୍ତା ଅଧିକାରୀମାନଙ୍କ ନିକଟକୁ ‘ଫ୍ଲାସ୍‌ ମେସେଜ୍‌’ ଚାଲିଆସିଥିଲା।

ଜେରା କରାଯିବାରୁ ଉକ୍ତ ଡ୍ରାଇଭର୍‌ କହିଲେ କି, ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍‌ ରହୁଥିବା ‘ଆଇଟିସି ମୌର୍ଯ୍ୟ’ରେ ସେ ସକାଳ ୯.୩୦ରେ ପହଞ୍ଚିବାର ଥିଲା। କିନ୍ତୁ, ଲୋଧି ଇଷ୍ଟେଟ୍‌ ଏରିଆରୁ ଆଣିଥିବା ଜଣେ ବ୍ୟବସାୟୀଙ୍କୁ ଛାଡ଼ିବାକୁ ସେ ‘ତାଜ୍‌ ହୋଟେଲ୍‌’ରେ ପହଞ୍ଚିଥିଲେ।

ପ୍ରୋଟୋକଲ୍‌ ସମ୍ବନ୍ଧରେ ଜାଣି ନ ଥିବା କଥା ଡ୍ରାଇଭର୍‌ ସ୍ବୀକାର କରିଥିଲେ। ଜେରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। କିନ୍ତୁ, ନିରାପତ୍ତା ଅଧିକାରୀମାନେ ଆଉ ତାଙ୍କୁ ବାଇଡେନ୍‌ଙ୍କ ଗାଡ଼ି ସହିତ ଯାତ୍ରା କରିବାକୁ ଅନୁମତି ଦେଇ ନ ଥିଲେ।

ସଦ୍ୟତମ ସୂଚନା ଅନୁସାରେ, ଆଜି ସକାଳେ ରାଜଘାଟରେ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିସାରିବା ପରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ ଭିଏତ୍‌ନାମ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।