କର୍ଣ୍ଣଲ୍: କର୍ଣ୍ଣଲ୍ ସିଟି ବସ୍ ସର୍ଭିସ୍ର ଏକମାତ୍ର ମହିଳା ବସ୍ ଡ୍ରାଇଭର୍ ୩୦ ବର୍ଷୀୟ ଅର୍ଚ୍ଚନାଙ୍କ ପାଇଁ ଯାତ୍ରୀବାହୀ ବସ୍ ଚଳାଇବା ଗୋଟାଏ ଜୋସ୍ର କଥା।
Sambad is now on WhatsApp
Join and get latest news updates delivered to you via WhatsApp
ପତ୍ନୀ, ମାଆ ଓ ବୋହୂର ଭୂମିକା ନିର୍ବାହ କରୁଥିବା ବଲ୍ଲା ଗାଁ’ର ଅର୍ଚ୍ଚନାଙ୍କ ପାଇଁ ପ୍ରଥମ ବସ୍ ଚାଳିକା ହେବା ଥିଲା ଗୋଟାଏ ଚାଲେଞ୍ଜ୍। ଏ ବର୍ଷ ମାର୍ଚ ମାସରେ କର୍ଣ୍ଣଲ୍ ମ୍ୟୁନିସିପାଲ୍ କର୍ପୋରେସନ୍ ସିଟି ବସ୍ ସର୍ଭିସ୍ ଆରମ୍ଭ କରିବା ପରେ ଅର୍ଚ୍ଚନାଙ୍କୁ ଚୁକ୍ତିଭିତ୍ତିକ ଡ୍ରାଇଭର୍ ଭାବେ ମନୋନୀତ କରାଯାଇଛି।
୪୦ ସିଟ୍ ବସ୍ ଚଳାଉଥିବା ଅର୍ଚ୍ଚନା କହନ୍ତି: ପୁରୁଷ ପ୍ରାଧାନ୍ୟ ସମାଜରେ କିଛି ଭିନ୍ନ କାମ କରି ଚିହ୍ନ ରଖିବାକୁ ପିଲାଟିବେଳୁ ମୁଁ ମନ କରୁଥିଲି। ବସ୍ ଡ୍ରାଇଭର୍ ହୋଇ ତାହା ମୁଁ ସାକାର କଲି। ଏବେ ମତେ ବସ୍ ଷ୍ଟିଅର୍ରିଙ୍ଗ୍ ଧରିଥିବା ଦେଖି ଅନେକ ଝିଅ ଓ ମହିଳା ପ୍ରେରଣା ପାଉଛନ୍ତି।
ଅର୍ଚ୍ଚନାଙ୍କ ଘର ଜିନ୍ଦ୍ ଜିଲ୍ଲା ଅନ୍ତର୍ଗତ ରଜନ ଗାଁରେ। ୧୮ ବର୍ଷରୁ ବାହା ହୋଇ ଯିବା କାରଣରୁ ଦ୍ୱାଦଶ ଶ୍ରେଣୀ ପରେ ସେ ଆଉ ପଢ଼ି ପାରି ନ ଥିଲେ। କିନ୍ତୁ, ଦୁଇ ଛୁଆର ମାଆ ହେବା ପରେ ମଧ୍ୟ ସେ ନିଜ ସ୍ୱପ୍ନ ପଥରୁ ବିଚ୍ୟୁତ ହୋଇ ନ ଥିଲେ।
ବଲ୍ଲା ଗ୍ରାମରେ ଅଳ୍ପ କିଛି ଜମିଜମା ଥିବା ତାଙ୍କର ସ୍ୱାମୀ ଟ୍ୟାକ୍ସି ଚାଳକ ଧର୍ମେନ୍ଦ୍ର ଶେଓରନ୍ଙ୍କୁ ସେ ନିଜ ସ୍ୱପ୍ନ ସାକାର କରିବାକୁ କହିଥିଲେ। ସେ କହନ୍ତି: ପାଞ୍ଚ ବର୍ଷ ତଳେ ମୁଁ ସ୍ୱାମୀଙ୍କୁ ଡ୍ରାଇଭର୍ ହେବାର ଇଚ୍ଛା ଜଣାଇଲି। ସେ ମତେ ସାହାଯ୍ୟ କଲେ। ସେ ତାଙ୍କ ବାପାମାଆଙ୍କୁ ବୁଝାଶୁଝା କରାଇବା ପରେ ଡ୍ରାଇଭିଙ୍ଗ୍ ତାଲିମ୍ ନେବାକୁ ମତେ ଘରୁ ବାହାରକୁ ପଠାଇଲେ।
୨୦୧୪ରେ ଭାରୀ ଯାନ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ପାଇ କୁରୁକ୍ଷେତ୍ର ଠାରେ ଅମ୍ବାଲାରୁ ପିଲ୍ପି ଯାଏଁ ଏକ ଘରୋଇ ବସ୍ ଚଳାଇବା କାମ ପାଇଲେ ଅର୍ଚ୍ଚନା। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୬ରେ ସେ କାମ ଛାଡ଼ି ଏକ ଘରୋଇ ସ୍କୁଲ୍ର ବସ୍ ଡ୍ରାଇଭର୍ ଭାବେ ଯୋଗ ଦେଲେ।
କେଏମ୍ସି ସିଟି ବସ୍ ସର୍ଭିସ୍ ଆରମ୍ଭ କରିବା ପରେ ସେଥିରେ ସୁଯୋଗ ପାଇଲେ ଅର୍ଚ୍ଚନା। ତିନି ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ସେ ହିଁ ମନୋନୀତ ହୋଇଥିଲେ।
ବହୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିଥିବା ଅର୍ଚ୍ଚନା ବସ୍ ଚଳାଉଥିଲେ ମଧ୍ୟ ସ୍ୱଭାବରେ ନମ୍ର। ଯଥେଷ୍ଟ ଭଦ୍ରାମିରେ ସେ ତାଙ୍କ ବସ୍ରେ ଯାତାୟତ କରୁଥିବା ପୁରୁଷ ଯାତ୍ରୀଙ୍କ ସହ କଥାବର୍ତ୍ତା କରନ୍ତି।
ଏବେ ଅର୍ଚ୍ଚନାଙ୍କର ମାସିକ ଦରମା ୧୮ ହଜାର ଟଙ୍କା। ଭବିଷ୍ୟତରେ ସେ ହରିୟାନା ରୋଡ୍େଓ୍ଵଜ୍ରେ ଡ୍ରାଇଭର୍ ପଦବୀ ପାଇଁ ଆବେଦନ କରିବେ।