ନ୍ୟୁୟର୍କ: ସେମାନେ କେବେ ଭବିଷ୍ୟତ କଥା କହନ୍ତି ନାହିଁ, ନିଜର ବିଫଳତା ପାଇଁ ସବୁବେଳେ ଅତୀତର କୌଣସି ଲୋକଙ୍କୁ ଦାୟୀ କରନ୍ତି ବୋଲି ରବିବାର ଦିନ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବା ବେଳେ ଓଡ଼ିଶା ରେଳ ଦୁର୍ଘଟଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ବିଜେପି’କୁ ବିଦ୍ରୂପ କରି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

Advertisment

ରାହୁଲ୍‌ କହିଛନ୍ତି, ଆପଣମାନେ ସେମାନଙ୍କୁ ଯେକୌଣସି କଥା (ବିଜେପି) ପଚାରନ୍ତୁ, ସେମାନେ ଅତୀତକୁ ଚାହିଁବେ ଓ ଦୋଷ ଲଦିବେ। ଟ୍ରେନ୍‌ ଦୁର୍ଘଟଣା କାହିଁକି ହେଲା ବୋଲି ସେମାନଙ୍କୁ ପଚାରନ୍ତୁ। ସେମାନେ କହିବେ ୫୦ ବର୍ଷ ତଳେ କଂଗ୍ରେସ ରେଳ ଦୁର୍ଘଟଣା କରିଥିଲା। ସେମାନଙ୍କର ତ୍ବରିତ ଜବାବ ହେଉଛି ‘ଅତୀତକୁ ଚାହଁ’।

publive-image Image Courtesy of NDTV

କଂଗ୍ରେସ ଶାସନ ଅମଳର ରେଳ ଦୁର୍ଘଟଣା ପ୍ରସଙ୍ଗରେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ ନ କରି ରାହୁଲ୍‌ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବା ବେଳେ ଗୋଟାଏ ରେଳ ଦୁର୍ଘଟଣା ‌ହୋଇଥିବା କଥା ମୋର ମନେପଡୁଛି। ସ‌େତେବେଳେ କଂଗ୍ରେସ କହି ନ ଥିଲା ଯେ, ଟ୍ରେନ୍‌ ଦୁର୍ଘଟଣା ପାଇଁ ବ୍ରିଟିସ୍‌ ଦାୟୀ। କଂଗ୍ରେସ ମନ୍ତ୍ରୀ କହିଥିଲେ, ଏହା ମୋର ଉତ୍ତରଦାୟିତ୍ବ। ତେଣୁ, ମୁଁ ଇସ୍ତଫା ଦେଉଛି। ‌ଏହାହିଁ ହେଉଛି ଆମ ଦେଶର ସମସ୍ୟା, ଆମେ ବାହାନା କରୁ ଓ ସମ୍ମୁଖୀନ ହେଉଥିବା ବାସ୍ତବତାକୁ ଗ୍ରହଣ କରୁନାହିଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦ୍ରୂପ କରି ରାହୁଲ୍‌ ଆହୁରି ମଧ୍ୟ କହିଛନ୍ତି, କେବଳ ‘ରିୟର୍‌-ଭ୍ୟୁ ମିରର୍‌’କୁ (ପଛ ଦୃଶ୍ୟ ଦେଖାଉଥିବା ଆଇନା) ଚାହିଁ ପ୍ରଧାନମନ୍ତ୍ରୀ ଭାରତୀୟ କାର୍‌ ଚଳାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ, କାର୍‌ କାହିଁକି ଆଗକୁ ନ ଯାଇ ଦୁର୍ଘଟଣାଗ୍ରସ୍ତ ହେଉଛି, ସେ ଜାଣିପାରୁ ନାହାନ୍ତି। ‘ବିଜେପି’ ଓ ‘ଆର୍‌ଏସ୍‌ଏସ୍‌’ର ବୁଦ୍ଧି ମଧ୍ୟ ଏମିତିକା। ସେମାନେ ସମସ୍ତେ ଏମିତି। ଆପଣ ମନ୍ତ୍ରୀମାନଙ୍କ କଥା ଶୁଣନ୍ତୁ, ପ୍ରଧାନମନ୍ତ୍ରୀଙ୍କ କଥା ଶୁଣନ୍ତୁ। ସେମାନେ ଭବିଷ୍ୟତ କଥା କହୁଥିବା ଆପଣମାନେ ଶୁଣିପାରିବେ ନାହିଁ। ସେମାନେ କେବଳ ଅତୀତ କଥା କହନ୍ତି।