ନୂଆବର୍ଷରେ ବିନା ବାଣରେ ପୂରା ଆକାଶକୁ ସଜାଇଦେଲେ ୨ ହଜାର ଡ୍ରୋନ

ସାଂଘାଇ: ନା ଥିଲା ବାଣ, ନା ଥିଲା ଶବ୍ଦ | ନୀରବତା ଭିତରେ ରଙ୍ଗୀନ ଆଲୋକରେ ସଜେଇ ହୋଇଗଲା ପୂରା ଆକାଶ | ଚୀନରେ କିଛି ଏଭଳି ଢଙ୍ଗରେ ନୂଆବର୍ଷ ପାଳନ ହୋଇଛି | ଚୀନର ଏକ ପ୍ରମୁଖ ସହର ଭାବେ ସାଂଘାଇ ବେଶ ଜଣାଶୁଣା | ତେବେ ଏଠାରେ ନୂଆବର୍ଷ ପାଳନ ପାଇଁ ପାଖାପାଖି ୨ ହଜାର ଡ୍ରୋନ ବ୍ୟବହାର କରାଯାଇଥିଲା | ଏହି ଡ୍ରୋନମାନଙ୍କୁ ସଠିକ ସମୟ ଓ ଆଧୁନିକ କୌଶଳରେ ଏଭଳି ଭାବେ ଉଡାଯାଇଥିଲା, ଯାହାଫଳରେ ଆକର୍ଷଣୀୟ ରଙ୍ଗରେ ଆକାଶ ଆଲୋକ ମାଳାରେ ଆଲୋକିତ ହୋଇଯାଇଥିଲା |

ବଡ କଥା ଯେ ଏହି ଡ୍ରୋନ ଦ୍ୱାରା କୌଣସି ବି ପ୍ରଦୂଷଣ ହୋଇନଥିବାବେଳେ ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇନଥିଲା | ଉଲ୍ଲେଖଯୋଗ୍ୟ ଯେ ଚୀନ ବାଣର ଆବିଷ୍କାର କରିଥିଲା | ଚୀନର ବାଣକୁ ବିଶ୍ୱର ଅଧିକାଂଶ ଦେଶ ବ୍ୟବହାର କରୁଥିବାବେଳେ ଏହା ଦ୍ୱାରା ଉଭୟ ବାୟୁ ଓ ଶବ୍ଦ ପ୍ରଦୂଷଣ ହୋଇଥାଏ | କିନ୍ତୁ ଖୋଦ ଚୀନ ପରିବେଶ ସୁରକ୍ଷା ପାଇଁ ଏକ ଭିନ୍ନ ଉପାୟ ଆପଣେଇଛି |


ଚୀନ୍‌ର ହୁନାନ୍‌ ପ୍ରଦେଶ ଅନ୍ତର୍ଗତ ଲିଉୟାଙ୍ଗ୍‌ ସହରରେ ଅଧିକାଂଶ ମାତ୍ରାରେ ବାଣ ତିଆରି ହେଉଥିବା ବେଳେ ଚୀନ୍‌ର ଏହି ସହର ହେଉଛି ବିଶ୍ୱର ସବୁଠୁ ଅଧିକ ଆତସବାଜି ନିମାର୍ଣ କରୁଥିବା ଏକମାତ୍ର ସ୍ଥାନ। ଏଠାରେ ନିର୍ମିତ ଆତସବାଜି ରପ୍ତାନି କରି ଚୀନ୍‌ ବର୍ଷକୁ ୬୦୦ ନିୟୁତ ଡଲାର୍‌ ଉପାର୍ଜନ କରେ। ଜନ୍ମଦିନ, ବାହାଘର, ସ୍ୱାଧୀନତା ଦିବସ ଏବଂ ନବବର୍ଷ ଉତ୍ସବ ପାଳନ ନିମନ୍ତେ ବିଶ୍ୱର ଶତାଧିକ ଦେଶକୁ ଲିଉୟାଙ୍ଗ୍‌ ହିଁ ଆତସବାଜି ରପ୍ତାନି କରେ। କିନ୍ତୁ ସମୟ ବଦଳିବା ସାଙ୍ଗକୁ ଚୀନ ଏବେ ପରିବେଶ ପ୍ରଦୂଷଣକୁ କମ କରିବା ପାଇଁ ଭିନ୍ନ ଏକ ପଦକ୍ଷେପ ଆପଣେଇଛି | ବାଣ ବଦଳରେ ଡ୍ରୋନ ବ୍ୟବହାର କରି ଚୀନ ଏବେ ବିଶ୍ୱକୁ ଏକ ଭିନ୍ନ ବାର୍ତ୍ତା ଦେଇଛି |

ସମ୍ବନ୍ଧିତ ଖବର