ସାଉଦି ଆରବର ୨ଟି ତୈଳ ବିଶୋଧନାଗାର ଉପରେ ଡ୍ରୋନ ଆକ୍ରମଣ

ରିଆଦ : ସାଉଦି ଆରବର ୨ଟି ବୃହତ ତୈଳ ବିଶୋଧନାଗାର ଉପରେ ଆଜି ହୁତି ବିଦ୍ରୋହୀମାନେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛନ୍ତି । ଏହା ଫଳରେ ଉକ୍ତ ବିଶୋଧନାଗାରଗୁଡ଼ିକରେ ନିଆଁ ଲାଗିଯାଇଛି ।

ସାଉଦି ଆରବର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଶନିବାର ସକାଳ ୪ଟା ( ଭାରତୀୟ ସମୟ ସକାଳ ୬ଟା ୩୦) ରେ ସାଉଦି ଆରାମକୋ ତୈଳକମ୍ପାନିର ଦୁଇଟି ବିଶୋଧନାଗାର ଆବକାକ୍‌ ଓ ଖୁରାଇସ ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ ହୋଇଥିଲା । ଏହା ଫଳରେ ଏହି ଦୁଇଟି ବିଶୋଧନାଗାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏହି ଘଟଣାରେ କେତେ ଲୋକ ମୃତାହତ ହୋଇଛନ୍ତି ସେ ସଂପର୍କରେ ସାଉଦି ଆରବ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

 

ତେବେ କେଉଁମାନେ ଏହି ଆକ୍ରମଣ କରିଛନ୍ତି ସେ ସମ୍ପର୍କରେ ସାଉଦି ସରକାର କିଛି କହିନଥିଲେ ମଧ୍ୟ ୟେମେନର ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛନ୍ତି । ୧୦ଟି ଡ୍ରୋନ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଥିବା ବିଦ୍ରୋହୀମାନେ କହିଛନ୍ତି । ଆଗକୁ ଏପରି ଆକ୍ରମଣ ଅବ୍ୟାହତ ରହିବ ବୋଲି ଏହି ସଂଗଠନ କହିଛି । ସାଉଦି ଆରାମକୋ ସାଉଦି ସରକାରଙ୍କ ଦ୍ୱାରା ପରିଚାଳିତ ଏକ ବୃହତ ତୈଳ କମ୍ପାନି । ଗତ ମାସରେ ମଧ୍ୟ ସାଉଦି ଆରବର ଏକ ବଡ଼ ତୈଳ କୂପ ସାବା ଉପରେ ଆକ୍ରମଣ ହୋଇଥିଲା ।

ସମ୍ବନ୍ଧିତ ଖବର