ଭାରତରେ ଏଣିକି ଡ୍ରୋନ କ୍ୟାମେରାରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ, ବିସିସିଆଇକୁ ଅନୁମତି ଦେଲେ ସରକାର

ମୁମ୍ବାଇ: ଏଣିକି ଭାରତରେ ଡ୍ରୋନ ମାଧ୍ୟମରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ | ଚଳିତବର୍ଷ ଭାରତରେ ବିସିସିଆଇ ଦ୍ୱାରା ହେବାକୁ ଥିବା ସମସ୍ତ କ୍ରିକେଟ ମ୍ୟାଚର କ୍ୟାମେରା ସୁଟିଂ ପାଇଁ ଡ୍ରୋନ ବ୍ୟବହାର କରାଯାଇପାରିବ | ତେବେ ଡ୍ରୋନ ବ୍ୟବହାର କରିବାକୁ ହେଲେ କିଛି ସର୍ତ୍ତ ମାନିବାକୁ ପଡିବ | ବେସାମରିକ ବିମାନ ଉଡାଣ ମନ୍ତ୍ରାଳୟ ଏନେଇ ବିସିସିଆଇକୁ ସର୍ତ୍ତମୂଳକ ଅନୁମତି ଦେଇଛି |

ମିଳିଥିବା ସୂଚନା ମୁତାବକ ବିସିସିଆଇ ବେସାମରିକ ବିମାନ ଉଡାଣ ମନ୍ତ୍ରାଳୟକୁ ଚିଠି ଲେଖି ଜଣାଇଥିଲା ଯେ କ୍ରିକେଟ ମ୍ୟାଚବେଳେ ରିମୋଟଲି ପାୟଲେଟେଡ଼ ଏୟାରକ୍ରାଫ୍ଟ ସିଷ୍ଟମ(ଡ୍ରୋନ) ବ୍ୟବହାର କରିବାକୁ ଅନୁମତି ଦିଆଯାଉ | ବେସାମରିକ ବିମାନ ଉଡାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଅମ୍ବର ଦୁବେ କହିଛନ୍ତି ଯେ ଡ୍ରୋନ ଇକୋସିଷ୍ଟମ ଦେଶରେ ବଢ଼ିବାରେ ଲାଗିଛି | କୃଷି, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ସହ ମନୋରଞ୍ଜନ ପାଇଁ ଡ୍ରୋନର ବ୍ୟବହାର ବଢ଼ିବାରେ ଲାଗିଛି |

ଆଉ ଏବେ ଖେଳରେ ଏହାକୁ ଅନୁମତି ଦିଆଯିବ | ସେ କହିଛନ୍ତି ଯେ ଡ୍ରୋନ ନିୟମ ୨୦୨୧ ପାଇଁ ଆଇନ ମନ୍ତ୍ରାଳୟ ସହ ଆଲୋଚନା ଜାରି ରହିଛି | ମାର୍ଚ୍ଚ ୨୦୨୧ ସୁଦ୍ଧା ଏନେଇ ଅନୁମତି ମିଳିଯିବ | ତେବେ ବିସିସିଆଇକୁ ଡ୍ରୋନର ବ୍ୟବହାର କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ପ୍ରଶାସନ, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଏୟାରପୋର୍ଟ ଅଥାରୀତିଙ୍କର ମଞ୍ଜୁରୀ ନେବାକୁ ପଡିବ |

ସମ୍ବନ୍ଧିତ ଖବର