ସ୍ୱାସ୍ଥ୍ୟବିଜ୍ଞାନ କ୍ଷେତ୍ରରେ ନୂଆ, ଡ୍ରୋନ ବ୍ୟବହାର କରି ପଠାଗଲା ରକ୍ତ

ନୂଆଦିଲ୍ଲୀ : ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ଐତିହାସିକ ଘଟଣା ଘଟିଛି । ଏକ ଡ୍ରୋନ ବ୍ୟବହାର କରି ଉତ୍ତରାଖଣ୍ଡର ଏକ ଦୁର୍ଗମ ଗାଁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ୟୁନିଟ ରକ୍ତ ପଠାଯାଇଛି । ରାଜ୍ୟର ତେହେରି ଜିଲ୍ଲାରେ ଥିବା ନନ୍ଦଗାଁଓ ନାମକ ସ୍ଥାନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏହି ରକ୍ତକୁ ୩୨ କିମି ଦୂରରେ ଥିବା ତେହେରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ମାତ୍ର ୧୮ ମିନିଟରେ ଏହି ବ୍ଲଡ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଇଥିଲା ।
ଏହା ଏକ ପରୀକ୍ଷାମୂଳକ ପ୍ରୟୋଗ ଥିଲା ଯାହାକି ସଫଳ ହୋଇଛି । ଜିଲ୍ଲାପାଳ ସାରିକାଙ୍କ ମୁଣ୍ଡକୁ ପ୍ରଥମେ ଏହି ଆଇଡିଆ ଆସିଥିଲା ଯାହାକୁ ସଫଳଭାବେ ପ୍ରୟୋଗ କରାଯାଇଛି । ସିଡିସ୍ପେଶ ରୋବୋଟିକ୍ସ ନାମକ କମ୍ପାନିର ଡ୍ରୋନକୁ ବ୍ୟବହାର କରି ଏହି ପ୍ରୟୋଗ କରାଯାଇଥିଲା । ଏହିପରି ଆଉ କେତେକ ପରୀକ୍ଷଣ ଆଗାମୀ ଦିନରେ ତେହେରିରେ ପ୍ରୟୋଗ କରାଯିବ । ଏଗୁଡ଼ିକ ସଫଳ ହେଲେ ଏହା ସ୍ୱାସ୍ଥ୍ୟସେବା ଇତିହାସରେ ଏକ ମାଇଲଖୁଣ୍ଟ ହେବ, କାରଣ ଡ୍ରୋନ ବ୍ୟବହାର କରି ଦୁର୍ଗମ ପାର୍ବତୀୟ ଅଂଚଳକୁ ରକ୍ତ ପଠାଇହେବ ।

ସମ୍ବନ୍ଧିତ ଖବର