ଜମ୍ମୁର ୩ ସ୍ଥାନରେ ଡ୍ରୋନ୍ ଠାବ, ସଂପୂର୍ଣ୍ଣ ତଦନ୍ତ ଭାର ନେଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜମ୍ମୁର ବାୟୁସେନା ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣର ପରଦିନ ୩ଟି ସ୍ଥାନରେ ଡ୍ରୋନ୍ ଦେଖିବାକୁ ମିଳିଥିଲା। ସେଥିରୁ ଗୋଟିଏ ଡ୍ରୋନ୍ ସଞ୍ଜୱାନ ସେନା ଶିବିର ନିକଟରେ ଠାବ ହୋଇଥିଲା। ଏହି ମାମଲାର ସଂପୂର୍ଣ୍ଣ ତଦନ୍ତ ଭାରତ ଆଜି ଏନ୍‌ଆଇଏ ନେଇଛି ଏବଂ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କୁଞ୍ଜୱାନି, ସଞ୍ଜୱାନ୍ ଏବଂ କାଲୁଚକ୍ ଅଞ୍ଚଳରେ ରାତି ପ୍ରାୟ ଦୁଇଟା ୩୦ ମିନିଟରେ ଏସବୁ ଡ୍ରୋନ୍ ଦେଖିବାକୁ ମିଳିଥିଲା। କିନ୍ତୁ କିଛି ସମୟ ପରେ ଏସବୁ ଡ୍ରୋନକୁ ଠାବ କରାଯାଇ ପାରି ନଥିଲା। ତେବେ ଏସବୁ ସ୍ଥାନ ପାଖାପାଖି ରହିଥିବାରୁ ତିନିଟି ଡ୍ରୋନ୍ ଦେଖାଯାଇଥିଲା କି ନାହିଁ ତାହାକୁ ସୁରକ୍ଷା ଏଜେନ୍ସି ତଦନ୍ତ କରୁଛନ୍ତି। କୁଞ୍ଜୱାନି ଜମ୍ମୁ ସହରରେ ଏବଂ ସତୱାରି ବାୟୁସେନା ଘାଟି ନିକଟରେ ରହିଛି। ଏହା ସଞ୍ଜୱାନଠାରୁ ସାଢ଼େ ୬ କିଲୋମିଟର ଏବଂ କାଲୁଚକଠାରୁ ସାଢ଼େ ୪ କିଲୋମିଟର ଦୂର। ଆକାଶମାର୍ଗରେ ଜମ୍ମୁ ବିମାନ ବନ୍ଦର ଅନ୍ତର୍ଜାତୀୟ ସୀମାଠାରୁ ୧୪ କିଲୋମିଟର ଦୂର। ଜମ୍ମୁ ବିମାନ ବନ୍ଦର ଏକ ବେସାମରିକ ବିମାନ ବନ୍ଦର। କିନ୍ତୁ ଏଠାକାର ରନୱେ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ।

ଜମ୍ମୁର ସାମରିକ ଅଞ୍ଚଳରେ ଗତ ୩ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଡ୍ରୋନ୍ ‌ଉଡ଼ିବା ଦେଖିବାକୁ ମିଳିଛି। ଶନିବାର-ରବିବାର ରାତିରେ ଦୁଇଟି ଡ୍ରୋନ୍ ଜମ୍ମୁ ବିମାନ ବନ୍ଦରର ଭାରତୀୟ ବାୟୁସେନା ଷ୍ଟେସନରେ ଆକ୍ରମଣ କରିଥିଲା। ସୋମବାର ଭାରତର ସତର୍କ ସୈନିକମାନେ କାଲୁଚକ ସାମରିକ ଶିବିର ଉପରେ ଉଡ଼ୁଥିବା ଦୁଇଟି ଡ୍ରୋନକୁ ଘଉଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର