ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ସାଂସଦମାନଙ୍କ ଭୋଟ ଗଣନା ଶେଷ ହୋଇଥିବା ବେଳେ ବିଭିନ୍ନ ରାଜ୍ୟର ବିଧାୟକମାନଙ୍କ ଭୋଟ ଗଣନା ଜାରି ରହିଛି। ଏଯାବତ୍ ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ୭୨ ପ୍ରତିଶତ ଭୋଟ ପାଇ ଆଗରେ ଅଛନ୍ତି। କାରଣ ସମୁଦାୟ ୭୪୮ ସାଂସଦ ଭୋଟ ଦେଇଥିବା ବେଳେ ୫୪୦ଟି ଦ୍ରୌପଦୀଙ୍କ ସପକ୍ଷରେ ପଡ଼ିଛି। ସେହିପରି ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନା ପାଇଛନ୍ତି ମାତ୍ର ୨୦୮ ଖଣ୍ଡ ଭୋଟ୍। ଏନଡିଏ ପ୍ରାର୍ଥୀଙ୍କ ଏହି ବଢ଼ତ ଆକଳନଠାରୁ ଯଥେଷ୍ଟ ଅଧିକ ରହିଛି ବୋଲି ରାଜନୈତିକ ବିଶାରଦମାନେ ମତ ରଖିଛନ୍ତି।
ଅନ୍ୟ ପକ୍ଷରେ ଯଦି ଆମେ ଭୋଟର ମୂଲ୍ୟକୁ ବିଚାରକୁ ନେବା, ତେବେ ଦେଖିବା ବିରୋଧୀ ଦଳ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସିହ୍ନା ଯଥେଷ୍ଟ ପଛରେ ପଡ଼ିଯାଇଛନ୍ତି। ଦ୍ରୌପଦୀ ମୁୁର୍ମୁଙ୍କୁ ମିଳିଥିବା ଭୋଟର୍ ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦। ଅର୍ଥାତ୍ ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ମୁର୍ମୁଙ୍କ ଭୋଟ ମୂଲ୍ୟର ଅଧାରୁ କମ୍ ଭୋଟ ପାଇଛନ୍ତି ବିରୋଧୀ ଦଳ ପ୍ରାର୍ଥୀ। ପୁଣି ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ସୂଚନା ରହିଛି। ଯଦି ଏହି ଭୋଟ ଉଚିତ୍ ଭାବେ ପଡ଼ିଥାନ୍ତା ତେବେ ଦ୍ରୌପଦୀଙ୍କ ବଢ଼ତ ଆହୁରି ଅଧିକ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରି ନଥାନ୍ତା।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏନଡିଏ ପ୍ରାର୍ଥୀଙ୍କୁ ୪୪ଟି ଦଳର ସାଂସଦ ଓ ବିଧାୟକ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ୩୪ଟି ଦଳର ସମର୍ଥନ ପ୍ରାପ୍ତ ହୋଇଛି। ତେଣୁ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଅଧିକ ଭୋଟ୍ ପଡ଼ିବା ଏକ ସ୍ବାଭାବିକ କଥା। ଅନ୍ୟ ପଟେ ଗଣତିର ପ୍ରଥମ ପର୍ଯ୍ୟାୟର ଟ୍ରେଣ୍ଡ ଦେଖି ରାଜନୈତିକ ବିଶାରଦ ଆକଳନ କରିଛନ୍ତି କି ବିଜୟ ଲାଗି ଆବଶ୍ୟକ ୫୦ ପ୍ରତିଶତ ସୀମା ଖୁବ୍ ସହଜରେ ଅତିକ୍ରମ କରିବେ ଶ୍ରୀମତୀ ମୁର୍ମୁ। ଦ୍ରୌପଦୀଙ୍କ ବିଜୟ ଏବେ ଏକ ଔପଚାରିକତା ହୋଇପଡ଼ିଛି। କାରଣ ସାରା ଦେଶ ଜାଣି ସାରିଲାଣି ଯେ ଦ୍ରୌପଦୀ ଦେଶର ନବ-ନିର୍ବାଚିତ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ନିର୍ବାଚନ କମିସନ୍ଙ୍କ କହିବା ଅନୁସାରେ, ସୋମବାର ଦିନ ଅନୁଷ୍ଠିତ ଭୋଟ୍ ଗ୍ରହଣରେ ସମୁଦାୟ ୯୯%ରୁ ଅଧିକ ଭୋଟର୍ ଭୋଟ୍ ଦେଇଛନ୍ତି।