ସ୍ବାମୀ ଓ ଦୁଇପୁଅଙ୍କୁ ହରାଇବା ପରେ ପାଲଟିଥିଲେ ନିର୍ବିକାର, ବ୍ୟକ୍ତିଗତ ଓ ପାରିବାରିକ କୋହକୁ ଚାପି ରଖି ବଢ଼ିଥିଲେ ଆଗକୁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଦେଶ ଜଣେ ଦରଦୀ ମଣିଷଙ୍କୁ ପାଇଛି। ଓଡ଼ିଆ ଆଦିବାସୀ ଝିଅ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଚାରିଆଡ଼େ ଖୁସିର ଲହରି ଦେଖିବାକୁ ମିଳିଛି। ଦୌପଦୀ ନାରୀ ସଶକ୍ତୀକରଣର ଏକ ଜ୍ବଳନ୍ତ ଉଦାହରଣ। ନାରୀ ଭିତରେ ଅନେକ ସମ୍ଭାବନା ଭର୍ତ୍ତି ହୋଇ ରହିଛି। ଚାରାଟିଏ ହେବା ପାଇଁ ଯେମିତି ପାଣି, ପବନ ଓ ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି; ନାରୀ ଭିତରେ ଥିବା ସମ୍ଭାବନାକୁ ସଫଳତାରେ ରୂପାନ୍ତରିତ କରିବା ପାଇଁ କେବଳ ସୁଯୋଗ ଓ ବିଶ୍ବାସ ଦରକାର ବୋଲି ତାଙ୍କର ମତ। ଆଜି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବା ବେଳେ ନାରୀଶକ୍ତିକୁ ନେଇ ତାଙ୍କର ଅଭିବ୍ୟକ୍ତି ସତେ ଯେମିତି ଚରିତାର୍ଥ ହୋଇଛି।

ବାଟରୁ ହୋଇନାହାନ୍ତି ବିଚ୍ୟୁତ
ବନ୍ଧନମୁକ୍ତ ଜୀବନ ଜିଉଁଥିଲେ ଦ୍ରୌପଦୀ। ଅବେଳରେ ସ୍ବାମୀ ଓ ଦୁଇ ପୁଅଙ୍କୁ ହରାଇ ଗୋଟିଏ ସମୟରେ ସେ ଯେମିତି ନିର୍ବିକାର ହୋଇଯାଇଥିଲେ। ତେବେ ସାଂସାରିକ ମାୟାବନ୍ଧନ ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନଥିଲା। ବ୍ୟକ୍ତିଗତ ଓ ପାରିବାରିକ କୋହକୁ ଚାପି ରଖି ସେ ଆଗକୁ ବଢ଼ିଥିଲେ। ସାମାଜିକ ଓ ସାମୂହିକ ଚେତନା ତାଙ୍କୁ ଆଗକୁ ବାଟ କଢ଼ାଇ ନେଇଥିଲା। ଯେଉଁଥିପାଇଁ ଦ୍ରୌପଦୀ ରାଜନୀତିର ବାଟରୁ ବିଚ୍ୟୁତ ହୋଇ ନଥିଲେ। ଜଣେ ସାଧାରଣ କାଉନ୍‌ସିଲରୁ ଝାଡ଼ଖଣ୍ଡ ରାଜଭବନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏତେ ସହଜସାଧ୍ୟ ନଥିଲା। ପରିଶ୍ରମ ଓ ନିଷ୍ଠା ଏବେ ତାଙ୍କ ପାଇଁ ନୂଆ ବାଟ ଖୋଲିଛି। ସେ ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ହୋଇଛନ୍ତି।

ସରଳ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ
ରାଜନୀତିରେ ଅନେକ ଅଭିଜ୍ଞତା ରଖିଥିବା ‌ଦ୍ରୌପଦୀଙ୍କୁ ୨୦୧୫ ମସିହା ମେ ୧୮ ତାରିଖରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୧ ମସିହା ଜୁଲାଇ ୬ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ। କାର୍ଯ୍ୟକାଳ ସରିବା ପରେ ଶ୍ରୀମତୀ ମୁର୍ମୁ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ନିଜ ଘର ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଥିଲେ। ସେଠା‌ରେ ସେ ସାନଭାଇ ତରଣୀସେନ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁଙ୍କ ସହ ସାଧାରଣ ଜୀବନ ଅତିବାହିତ କରୁଥିଲେ। ଏମିତିରେ ସାଧାସିଧା, ସରଳ ଜୀବନ ତାଙ୍କର ପସନ୍ଦ। ରାଜ୍ୟପାଳ ଭଳି ଏତେ ବଡ଼ ସାମ୍ବିଧାନିକ ପଦରେ ଥିଲେ ମଧ୍ୟ ତାଙ୍କ ପାଖରେ ଅହଙ୍କାର କିମ୍ବା କ୍ଷମତା ଲାଳସା କେବେ ଦେଖିବାକୁ ମିଳି ନଥିଲା। ଏବେ ବି ସେ ସରଳ ଓ ଶାନ୍ତ ସ୍ବଭାବର ମୂର୍ତ୍ତିମନ୍ତ ପ୍ରତୀକଟିଏ।

ଲୋକଙ୍କ ପାଇଁ ଝିଅ ଚିନ୍ତା ଭୁଲିଗଲେ
ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଅତ୍ୟନ୍ତ ଦୁଃଖଭରା। ସେ ତାଙ୍କ ଦୁଃଖ କଥା କେବେ କହିବାକୁ ଇଚ୍ଛା କରନ୍ତି ନାହିଁ। ସ୍ବାମୀ ଓ ଦୁଇପୁଅଙ୍କୁ ଅକାଳରେ ହରାଇବା ପରେପରେ ସମସ୍ତେ ଭାବିଥିଲେ ତାଙ୍କର ଝିଅ ଇତିଶ୍ରୀଙ୍କ ପ୍ରତି ତାଙ୍କର ଦାୟିତ୍ବବୋଧ ବଢ଼ିଯିବ। ହେଲେ ସେମିତି କିଛି ବି ହେଲାନି। ଝିଅ ପାଇଁ ସେ ଅଟକି ଯାଇ ନ ଥିଲେ। ସବୁ ଦୁଃଖକୁ ଲଂଘିଯାଇ ସେ ଜଣେ ରାଜନେତ୍ରୀ ଭାବେ ସମାଜସେବାକୁ ଆପଣେଇ ନେଲେ। ଝିଅ ବି ତାଙ୍କ ପାଇଁ କେବେ ବାଧା ହୋଇ ନଥିଲେ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି। ଝିଅ ଇତିଶ୍ରୀ ଏବେ ଭୁବନେଶ୍ବରସ୍ଥିତ ୟୁକୋ ବ୍ୟାଙ୍କରେ ଜଣେ ପଦସ୍ଥ ଅଧିକାରୀ। ସେଠାରେ ସ୍ବାମୀ ଓ ପରିବାର ସହ ରହୁଛନ୍ତି।

୧୦ ବର୍ଷ ବ୍ରହ୍ମାକୁମାରୀ ସଂସ୍ଥା ସହ ଜଡ଼ିତ
ଦ୍ରୌପଦୀ ମୁର୍ମୁଙ୍କ ପୁତ୍ର ବିୟୋଗ ଘଟଣା ପରେ ସେ ମାନସିକସ୍ତରରେ କିଛିଟା ବିଚଳିତ ହୋଇ ପଡିଥିଲେ। ଏଭଳି ସ୍ଥିତିରେ ସେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସଂପର୍କରେ ଆସିଥିଲେ ଏବଂ ନିୟମିତ ରାଜ‌ଯୋଗ ଅଭ୍ୟାସ ଆରମ୍ଭ କରିଥିଲେ। ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ରାଇରଙ୍ଗପୁର ଶାଖାକୁ ସେ ନିୟମିତ ଯାଉଥିଲେ। ମାଉଣ୍ଟ ଆବୁ ଆଶ୍ରମକୁ ଯାଇ ବି ଯୋଗାଭ୍ୟାସ କରିଥିଲେ। ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ନିୟମିତ ଯୋଗଦାନ ରହୁଥିଲା। ଏମିତିକି ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ସେ ମାଉଣ୍ଟ ଆବୁ ଆଶ୍ରମକୁ ଦୁଇଥର ଯାଇଥିଲେ। ନିୟମିତ ରାଜ ଯୋଗ ଅଭ୍ୟାସ ଦ୍ବାରା ସେ ମାନସିକ ସ୍ଥିରତା ପାଇଥିଲେ ଏବଂ ଏ ସଂପର୍କରେ ସେ ସାଧାରଣରେ କହିବା ସହ ଅନ୍ୟମାନଙ୍କୁ ‌ରାଜ ଯୋଗାଭ୍ୟାସ ପାଇଁ ପ୍ରେରିତ କରି ଆସୁଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ଦ୍ରୌପଦୀ ମୁର୍ମୁଙ୍କର ଆଶ୍ରମ ସହ ନିବିଡ଼ ସଂପର୍କ ରହି ଆସିଛି ବୋଲି କହିଛନ୍ତି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଗଣମାଧ୍ୟମ ‌ଯୋଗାଯୋଗ ଦାୟିତ୍ବରେ ଥିବା ବ୍ରହ୍ମାକୁମାର ନାଥମଲ୍।

ସମ୍ବନ୍ଧିତ ଖବର