ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏହି ରାଜ୍ୟରୁ ମିଳି ନପା‌ରେ ସମର୍ଥନ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ପଦବୀ ଅର୍ଥାତ୍ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ। ଜୁଲାଇ ୨୧ରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ଜଣାପଡ଼ିବ। ଏହି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି। ବିଭିନ୍ନ ଦଳର ସମର୍ଥନକୁ ଦୃଷ୍ଟିରେ ରଖି ଯଶବନ୍ତ ସିହ୍ନାଙ୍କ ଅପେକ୍ଷା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ସମ୍ଭାବନା ଅଧିକ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ହେଲେ ଏବେ ବି ଶିବସେନା, ଆମ୍ ଆଦମୀ ପାର୍ଟି ଭଳି ଦଳ ସେମାନଙ୍କର ପକ୍ଷ ସ୍ପଷ୍ଟ କରି ନଥିବାରୁ ଏବେଠୁ କିଛି ବି କହିବା ଅସମ୍ଭବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ।

ଦଳମତ ନିର୍ବିଶେଷରେ ବିଭିନ୍ନ ରାଜ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା କଥା ସ୍ପଷ୍ଟ କରିଥିବା ବେଳେ କେରଳରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ମିଳିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। କାରଣ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଏନଡିଏର ଭୋଟ୍ ସଂଖ୍ୟା ଶୂନ ରହିଛି। ଏଭଳି ପରିସ୍ଥିତିରେ ଯଶବନ୍ତ ସିହ୍ନା ୧୪୦ଜଣ ବିଧାୟକ, ୨୦ଜଣ ଲୋକସଭା ସାଂସଦ ଏବଂ ୯ଜଣ ରାଜ୍ୟସଭା ସାଂସଦଙ୍କ ସମର୍ଥନ ପାଇବେ ବୋଲି ଆଶା କରି କେରଳରୁ ନିଜର ଅଭିଯାନ ଆରମ୍ଭ କରୁଛନ୍ତି। କେରଳ ବିଧାନସଭାରେ ୨୧,୨୮୦ ଭୋଟ୍ ସହିତ ୧୪୦ଜଣ ବିଧାୟକ ଅଛନ୍ତି। ଲୋକସଭା ଓ ରାଜ୍ୟସଭାରେ ମୋଟ ୨୦,୩୦୦ଭୋଟ୍ ସହିତ ୨୯ଜଣ ସାଂସଦ ଅଛନ୍ତି।

କେରଳରେ ଉଭୟ ଶାସକ ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ) ଏବଂ ବିରୋଧୀ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ) ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଭାରତ ଧର୍ମ ଜନ ସେନା (ବିଡିଜେଏସ୍)ର ରାଜ୍ୟ ବିଧାନସଭା କିମ୍ବା ସଂସଦରେ କୌଣସି ପ୍ରତିନିଧିତ୍ୱ ନାହିଁ। ଏଭଳି ସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ମିଳି ନପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର