ସମର୍ଥନ ଦେବାକୁ ସୋନିଆ, ମମତା ଓ ପାୱାରଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି। କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ। ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ | ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି ଯେ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁ ନିର୍ବିରୋଧ ନିର୍ବାଚିତ ହେବେ କି ? ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥିନୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ | ବିଜେପି ନେତାଙ୍କ ବ୍ୟତୀତ, ବିଜେଡି ପକ୍ଷରୁ ଜଗନ୍ନାଥ ସାରକା, ଟୁକୁନି ସାହୁ, ୱାଇଏସଆର କଂଗ୍ରେସର ବିଜୟାସାଇ ରେଡ୍ଡୀ, ଏଆଇଡିଏମକେ ନେତା ପନିରସେଲଭମ, ଥମ୍ବିଦୁରାଇ,ଜନତା ଦଳ ୟୁନାଇଟେଡ୍ ରାଜୀବ ରଂଜନ ସିଂ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ନାମାଙ୍କନ ପାଇଁ ପ୍ରତ୍ୟେକ ସେଟ୍ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ୫୦ ଜଣ ପ୍ରସ୍ତାବକ ଏବଂ ୫୦ଜଣ ଅନୁମୋଦକ ଆବଶ୍ୟକ ହୋଇଥାଏ | ନିର୍ବାଚିତ ହେଲେ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ।

ସମ୍ବନ୍ଧିତ ଖବର