ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତ ପକ୍ଷରୁ ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ :ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଗତ ୮ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁଖବର ସାରା ବିଶ୍ବକୁ ଶୋକରେ ବୁଡ଼ାଇ ରଖିଛି। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ବ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ। ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ହେବ |

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ। ଏମାନଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ। ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚିଛି।

ସୂଚନା ଥାଉ କି ବୁଧବାର ଅପରାହ୍ଣରେ ରାଣୀଙ୍କ କଫିନକୁ ୱେଷ୍ଟମିନିଷ୍ଟର ହଲକୁ ନିଆଯିବ। ସେଠାରେ ଗୁରୁବାରଠାରୁ ୪ ଦିନ ପାଇଁ ରାଣୀଙ୍କ ମରଶରୀର ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ରହିବ। ଏହାପରେ ଲଣ୍ଡନରୁ ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ।

ସମ୍ବନ୍ଧିତ ଖବର