ସାଉଦି ତୈଳ କୂପରେ ଡ୍ରୋନ୍‌ ଆକ୍ରମଣ, ୟେମେନ ବିଦ୍ରୋହୀଙ୍କ ହାତ ଥିବା ଆଶଙ୍କା

ରିୟାଦ: ସାଉଦି ଆରବରେ ଅବସ୍ଥିତ ବିଶ୍ବର ସବୁଠାରୁ ବଡ଼ ତେଲ କମ୍ପାନିର ଦୁଇଟି କୂପ ଉପରେ ଆଜି ଡ୍ରୋନ୍‌ ଆକ୍ରମଣ ହୋଇଛି। ରାଜସ୍ବ ଦୃଷ୍ଟିରୁ ବିଶ୍ବର ସବୁଠାରୁ ବଡ଼ ତୈଳ କମ୍ପାନି ଅରାମ୍‌କୋର ତୈଳ କୂପରେ ଏହି ଆକ୍ରମଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପ୍ରକାଶ। ଧୂଆଁ ଯୋଗୁଁ ଅଣାୟତ୍ତ ଅବସ୍ଥା ଉପୁଯିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିନଥିଲା। ଏହି ଆକ୍ରମଣକୁ ନେଇ ସାଉଦି ଆରବ ଏବଂ ଅନ୍ୟ କେତେକ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବା ଆଶଙ୍କା ରହିଛି। ଦେଶର ପୂର୍ବାଞ୍ଚଳରେ ଅବସ୍ଥିତ ତୈଳ କୂପ ଉପରେ ବଡ଼ ଆକ୍ରମଣ ପରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ତେବେ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଏହା ପଛରେ ୟେମେନ ବିଦ୍ରୋହୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ସାଉଦି ତୈଳକୂପ ଉପରେ ୟେମେନ ବିଦ୍ରୋହୀ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର