ନୂଆଦିଲ୍ଲୀ: ଡ୍ରଗସ୍ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନ୍ଙ୍କ ପୁତ୍ର ଆରୟନ୍ଙ୍କ ପାଇଁ ଅଡୁଆ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆରୟନ୍ଙ୍କର ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି (ଗୁରୁବାର)କୁ ଘୁଞ୍ଚାଇ ଦେଇଥିବା ବେଳେ ଆଜି (ବୁଧବାର) ସନ୍ଧ୍ୟାରେ ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ସ୍ପେଶାଲ୍ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) କୋର୍ଟକୁ କହିଛନ୍ତି ଯେ ଆରୟନ ବିଦେଶୀ ଡ୍ରଗ ବେପାରୀମାନଙ୍କ ସହ ଘନିଷ୍ଠ ସଂପର୍କରେ ରହିଛନ୍ତି। ବିଦେଶୀ ଡ୍ରଗ୍ ବେପାରୀଙ୍କ ସହ ଆରୟନ୍ କରିଥିବା ହ୍ଵାଟସ୍ଆପ୍ ବାର୍ତ୍ତାଳାପରୁ ଜାଣିବା ପାଇଁ ମିଳିଛି ଯେ ସେ ସେମାନଙ୍କ ଠାରୁ ବିପୁଳ ପରିମାଣର ଡ୍ରଗସ୍ ନିୟମିତ ଭାବେ କ୍ରୟ କରୁଥିଲେ।
ତେବେ, ଉଲ୍ଲେଖନୀୟ ବିଷୟ ହେଲା, ବିଦେଶୀ ଡ୍ରଗ୍ ବେପାରୀଙ୍କ ଠାରୁ ଆରୟନ ଯେଉଁ ପରିମାଣର ଡ୍ରଗସ୍ କ୍ରୟ କରୁଥିଲେ; ତାହାକୁ ଜଣେ ବ୍ୟକ୍ତି କେବଳ ମାତ୍ର ନିଜ ବ୍ୟକ୍ତିଗତ ସେବନ ପାଇଁ ବ୍ୟବହାର କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ। ତେଣୁ, ଡ୍ରଗସ୍ କ୍ରୟ ଓ ବିତରଣରେ ଆରୟନଙ୍କର ଭୂମିକା ରହିଛି। ଏବେ ଏହି ବିଦେଶୀ ଡ୍ରଗସ୍ ବେପାରୀଙ୍କୁ ଖୋଜିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ନିକଟକୁ ଯିବାକୁ ଏନ୍ସିବି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମତି ମାଗି ଏନସିବି ଏକ ପତ୍ର ଲେଖିଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ସ୍ପେଶାଲ୍ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) କୋର୍ଟକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨ରେ ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜ୍ ଜାହାଜରେ ଚାଲିଥିବା ଏକ ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏମାମଲାରେ ଆରୟନ୍ଙ୍କ ସମେତ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣ ନାଇଜେରିଆ ନାଗରିକ ମଧ୍ୟ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Ariyan.jpg)