ମହାରାଷ୍ଟ୍ରରେ ଔଷଧ ଦୋକାନୀଙ୍କୁ ହତ୍ୟା: ଏନ୍‌ଆଇଏ ତଦନ୍ତ ନିର୍ଦ୍ଦେଶ ଦେଲେ ଶାହ

ନୂଆଦିଲ୍ଲୀ : ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ୍‌ ବିରୋଧୀ ଟିପ୍ପଣୀକୁ ବିରୋଧ କରି ଦେଶବ୍ୟାପୀ ହିଂସା ବଢ଼ିବାରେ ଲାଗିଛି। ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ୍‌ଙ୍କ ପରି ମହାରାଷ୍ଟ୍ରରେ ମଧ୍ୟ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ନୂପୁରଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ କରିବାରୁ ମହାରାଷ୍ଟ୍ରର ଅମରାବତୀରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାଁ ଉମେଶ ପ୍ରହ୍ଲାଦରାଓ କୋହ୍ଲେ। ସେ ଜଣେ ଔଷଧ ଦୋକାନୀ। ଅମରାବତୀରେ ତାଙ୍କର ଏକ ମେଡିସିନ ଷ୍ଟୋର୍‌ ଅଛି। ଜୁନ୍‌ ୨୧ ରାତିରେ ସେ ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରୁଥିବା‌ବେଳେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ଘଟଣାଟି ସପ୍ତାହ‌େ ହେବ ଘଟି ଯାଇଥିଲେ ବି ପୁଲିସ ତଦନ୍ତ ପରେ ଏହା ଏବେ ସାମ୍ନାକୁ ଆସିଛି।

ଅମରାବତୀର ସ୍ଥାନୀୟ ବିଜେପି ଶାଖା ପକ୍ଷରୁ ଏନେଇ ପୁଲିସରେ ଅଭି‌ଯୋଗ ହୋଇଥିଲା। ରାଜ୍ୟ ବିଜେପି ମୁଖପାତ୍ର ଶିବରାୟ କୁଲକର୍ନି ଅମରାବତୀ ସିପି ଆରତୀ ସିଂହଙ୍କୁ ଗତ ସପ୍ତାହରେ ଭେଟି ଏହି ହତ୍ୟା ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ସେ କୋହ୍ଲେଙ୍କ ମୃତ୍ୟୁ ଘଟଣା ପଛର ରହସ୍ୟ ଜାଣିବାକୁ ଚାହିଥିଲେ। ନୂପୁର ଶର୍ମାଙ୍କୁ ସମର୍ଥନ କରି ପୋଷ୍ଟ୍‌ କରିବାରୁ କୋହ୍ଲେଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଥିଲେ। ତେବେ ପୁଲିସ ଏହି ମାମଲାରେ ସପ୍ତାହକରୁ ଊର୍ଦ୍ଧ୍ବ ସମୟ ତଦନ୍ତ କରିବାପରେ ସିସିଟିଭ୍‌ ଫୁଟେଜ୍‌ ଜାରି କରିଛି। ପୁଲିସ ଏକ ଏତଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି। ନୂପୁରଙ୍କ ସମର୍ଥନରେ ପୋଷ୍ଟ ପାଇଁ ଉମେଶ କୋ‌‌ହ୍ଲେଙ୍କୁ ହତ୍ୟା କରାଯାଇଛି ବୋଲି ଗିରଫ ଅଭିଯୁକ୍ତମାନେ ସ୍ବୀକାର କରିଥିବା ବରିଷ୍ଠ ପୁଲିସ ଅଧିକାରୀ ବିକ୍ରମ ସାଲି ସୂଚନା ଦେଇଛନ୍ତି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ମାମଲାର ଏନ୍‌ଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି। ଏନ୍‌ଆଇଏ ଟିମ୍‌ ଅମରାବତୀରେ ପହଞ୍ଚି ସାରିଛନ୍ତି। ଟିମ୍‌ ଏହି ମାମଲାକୁ ଭଲଭାବେ ପରୀକ୍ଷା କରୁଛନ୍ତି ଏବଂ ମହାରାଷ୍ଟ୍ର ପୁଲିସଠାରୁ ଘଟଣା ସଂକ୍ରାନ୍ତରେ ବିଶେଷ ଭାବେ ଅବଗତ ହେଉଛନ୍ତି।

ମହାରାଷ୍ଟ୍ର ଏଟିଏସ୍‌ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ଉକ୍ତ ମାମଲାରେ କୌଣସି ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ଥିବା ନେଇ ତଦନ୍ତ ହେଉଛି ବୋଲି ଏଟିଏସ୍‌ ଟିମ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୨୧ ତା‌ରିଖରେ ଉମେଶ କୋହ୍ଲେ ରାତି ପ୍ରାୟ ୧୦ରୁ ୧୦ଟା ୩୦ ମଧ୍ୟରେ ତାଙ୍କ ଦୋକାନରୁ ଘରକୁ ଫେରୁଥିବାବେଳେ ବାଟରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଗଳା କାଟି ଦେଇଥିଲେ। ତାଙ୍କ ସହ ତାଙ୍କ ପୁଅ ଏବଂ ପତ୍ନୀ ଅନ୍ୟ ଏକ ବାଇକ୍‌ରେ ଆସୁଥି‌ଲେ। ପୁଅ ସଙ୍କେତ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ବୃତ୍ତମାନେ କୋହ୍ଲେଙ୍କ ଗଳା କାଟି ହତ୍ୟା କରିଥିଲେ ବି ତାଙ୍କଠାରୁ କୌଣସି ଜିନିଷ ନେଇନଥିଲେ। ଘଟଣାସ୍ଥଳରୁ ପୁଲିସ ଏକ ଛୁରି ଜବତ କରିଛି। ପୁଲିସ ଏହି ମାମଲାରେ ଗିରଫ କରିଥିବା ବ୍ୟକ୍ତିମାନେ ହେଉଛନ୍ତି ମୁଦ୍ଦାସିର ଅହମଦ, ଶାହରୁଖ ପଠାନ, ଅବଦୁଲ ତୋଫିକି, ସୋଏବ ଖାନ, ଅତିବ ରଶିଦ ଏବଂ ୟୁସୁଫ ଖାନ ବାହାଦୁର। ସମସ୍ତଙ୍କ ଘର ଅମରାବତୀରେ।

ସମ୍ବନ୍ଧିତ ଖବର