ବେଙ୍ଗାଲୁରୁ: ହାଇ ପ୍ରୋଫାଇଲ ‘ସାଣ୍ଡେଲଉଡ୍’ ଡ୍ରଗ୍ ର୍ୟାକେଟ୍ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି (ଶୁକ୍ରବାର) ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ଶାଖା (ସିସିବି) ଗିରଫ କରିଛି।
କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି ଗିରଫ କରବା ପୂର୍ବରୁ ସିସିବି ଅଧିକାରୀମାନେ ବେଙ୍ଗାଲୁରୁର ୟେଲାହଙ୍କାରେ ଥିବା ରାଗିଣୀଙ୍କ ଉପରେ ଚଢ଼ାଉ ଆରମ୍ଭ କରି ତାଙ୍କୁ ଅଟକ ରଖିଥିଲେ। ଦୀର୍ଘ ୪ ଘଣ୍ଟାର ଚଢ଼ାଉ ଅଭିଯାନ ପରେ ତାଙ୍କୁ ପଚରାଉଚରା ପାଇଁ ଅଧିକାରୀମାନେ ସିସିବି ମୁଖ୍ୟାଳୟକୁ ଅଣିଥିଲେ। ରାଗିଣୀଙ୍କୁ ଦୀର୍ଘ ୭ ଘଣ୍ଟାର ଗଳଦଘର୍ମ ଜେରା ପରେ ଆଜି ସନ୍ଧ୍ୟାରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି ସିସିବି। ତାଙ୍କୁ ଏନଡିପିଏସ୍ (ନାର୍କୋଟିକ୍ ଡ୍ରଗ୍ସ୍ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସେସ୍ ଅକ୍ଟ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିବା କହିଛି ସିସିବି। ରାଗିଣୀ ଦ୍ୱିବେଦୀଙ୍କ ଘରେ କରାଯାଇଥିବା ଚଢ଼ାଉ କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଆପତ୍ତିଜନକ ଜିନିଷ ଜବତ କରାଯାଇଛି ଏବଂ ଖୁବ୍ ଶୀଘ୍ର ଏହାର ସୂଚନା ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଛି ସିସିବି।
/sambad/media/post_attachments/wp-content/uploads/2020/09/1.jpg)
ତେବେ, ଏହି ମାମଲାରେ ଅନ୍ୟତମ ପ୍ରମୁଖ ଘଟଣା ହେଲା, ର୍ୟାକେଟରେ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ ବୀରେନ ଖାନ୍ନାଙ୍କୁ ମଧ୍ୟ ପୁଲିସ ଆଜି ଗିରଫ କରିଛି। ଗିରଫ ବୀରେନ୍ ହେଉଛି ଏହି ଡ୍ରଗ୍ ର୍ୟାକେଟ୍ର ଅନ୍ୟତମ ପ୍ରମୁଖ କାର୍ପଟଦାର ଯିଏ କି ବଡ଼ ବଡ଼ ପାର୍ଟିର ଆୟୋଜନ କରୁଥିଲା, ଯେଉଁଠାରେ ଡ୍ରଗ୍ସ ସେବନ କରାଯାଏ। ବୀରେନ୍ ହେଉଛି ଦିଲ୍ଲୀର ବାସିନ୍ଦା। ରାଗିଣୀର ଜେରା ଆଧାରରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚର ଦୁଇଜଣ ଅଧିକାରୀ ଅବିଳମ୍ବେ ଦିଲ୍ଲୀ ଯାଇ ତାକୁ ଗିରଫ କରିଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ହାଇ ପ୍ରୋଫାଇଲ ଡ୍ରଗ୍ ର୍ୟାକେଟ୍ ମାମଲାରେ ମାମଲାରେ ସିସିବି ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କୁ ଗିରଫ କରି ସାରିଲାଣି। ଏମାନେ ହେଲେ, ରବି ଶଙ୍କର, ରାହୁଲ, ରାଗିଣୀ ଦ୍ୱିବେଦୀ ଏବଂ ବୀରେନ୍ ଖାନ୍ନା। ତେବେ, ଏହି ମାମଲାରେ ଆଗକୁ ଆହୁରି ଅଧିକ ଗିରଫ ହେବାର ସମ୍ଭାବନା ରହିଛି।
ବେଙ୍ଗାଲୁରୁ ନଗର ପୁଲିସ କମିଶନର କମଲ ପନ୍ଥ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେମାନେ ଗତ ଏକ ମାସ ଧରି ଏହି ହାଇ ପ୍ରୋଫାଇଲ ଡ୍ରଗ୍ କାରବାର ମାମଲାର ତଦନ୍ତ ଜାରି ରଖିଛନ୍ତି।