ବିଦେଶରୁ ଟିକା ଆମଦାନି ଲାଗି ପଥ ପରିଷ୍କାର, ନିୟମାବଳୀ ଜାରି କଲେ ଔଷଧ ନିୟନ୍ତ୍ରକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗତ ୬ ତାରିଖରେ ଘରୋଇ କମ୍ପାନି ଓ ରାଜ୍ୟ ସରକାରମାନଙ୍କୁ ବିଦେଶରୁ ମଂଜୁରୀପ୍ରାପ୍ତ ଟିକା ଆମଦାନି ପାଇଁ ଅନୁମତି ଦେଇଥିଲେ । ଆଜି କେନ୍ଦ୍ରୀୟ ଔଷଧ ମାନକ ଓ ନିୟନ୍ତ୍ରକ ସଂସ୍ଥା (ସିଡିଏସସିଓ) ଏହି ଆମଦାନି ପାଇଁ ଗାଇଡଲାଇନ ଜାରି କରିଛନ୍ତି ।

ଏହି ନିୟମାବଳୀ ଅନୁସାରେ ଟିକା ଆମଦାନି କରିବାକୁ ଚାହୁଁଥିବା ଆମଦାନିକାରୀ ସିଡିଏସସିଓ ନିକଟରୁ ୩ ପ୍ରକାରର ଲାଇସେନ୍ସ ହାସଲ କରିବେ । ସେଗୁଡ଼ିକ ହେଉଛି ନୂଆ ଔଷଧ ଅନୁମତି ( ନୂଆ ଔଷଧ ଓ କ୍ଲିନିକାଲ ପରୀକ୍ଷା ଆଇନ ୨୦୧୯ ଅନୁସାରେ ), ଔଷଧ ଆଇନ ୧୯୪୫ ଅନୁସାରେ ଆମଦାନି ପଂଜୀକରଣ ଓ ଆମଦାନି ଲାଇସେନ୍ସ । ଯ଼େଉଁ ଆମଦାନିକାରୀମାନଙ୍କର ପୂର୍ବରୁ ଆମଦାନି ଲାଇସେନ୍ସ ଅଛି, ସେମାନେ କେବଳ ସିଡିଏସସିଓ ନିକଟରୁ ଆମଦାନି ଲାଇସେନ୍ସ ହାସଲ କରିବେ । ଏହି ଲାଇସେନ୍ସଧାରୀ ଆମଦାନିକାରୀମାନେ ଟିକା ଆମଦାନିକରି ରାଜ୍ୟ ସରକାର କିମ୍ବା ଘରୋଇ କମ୍ପାନିମାନଙ୍କୁ ଯ଼ୋଗାଇ ପାରିବେ ।
ଏହି ନିୟମାବଳୀ ଅନୁସାରେ ଯ଼ଦି କୌଣସି ବିଦେଶୀ ଟିକାକୁ ଭାରତୀୟ ଔଷଧ ନିୟାମକ ମଂଜୁରୀ ଦେଇଛନ୍ତି, ତେବେ ଘରୋଇ କମ୍ପାନି ଓ ରାଜ୍ୟ ସରକାରଙ୍କ ଔଷଧ ନିଗମଗୁଡ଼ିକ ସେଗୁଡ଼ିକୁ ଆମଦାନୀ କରିପାରିବେ । ଏଥିପାଇଁ ସିଡିଏସସିଓ ଆମଦାନୀ ଲାଇସେନ୍ସ ପ୍ରଦାନ କରିବେ ।କିନ୍ତୁ ଯ଼ଦି କୌଣସି ବିଦେଶୀ ଟିକା ଅନୁମତି କିମ୍ବା ଲାଇସେନ୍ସ ପାଇନାହିଁ, ତେବେ ଭାରତରେ ଥିବା ଉକ୍ତ ଟିକା କମ୍ପାନିର ଭାରପ୍ରାପ୍ତ ପ୍ରତିନିଧି ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାଙ୍କ ଠାରୁ ଲାଇସେନ୍ସ ପାଇବା ପାଇଁ ଆବେଦନ କରିବେ ।

ସମ୍ବନ୍ଧିତ ଖବର