ଔଷଧ କମ୍ପାନୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ଛାଟ, ଖରାପ ମାନର ଔଷଧ ତିଆରି ଅଭିଯୋଗରେ ବାତିଲ କଲେ ଲାଇସେନ୍ସ

ନୂଆଦିଲ୍ଲୀ: ଖରାପ ମାନର ଔଷଧ ସହ ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର | ଆଜି ଭାରତ ସରକାର ୧୮ଟି ଫାର୍ମା କମ୍ପାନୀ ଉପରେ ଆକ୍ସନ ନେଇ ଲାଇସେନ୍ସ ବାତିଲ କରିବା ସହ ଔଷଧ ନିର୍ମାଣ ଉପରେ ରୋକ ଲଗାଇଛନ୍ତି | ବାସ୍ତବରେ ବଜାରରେ ଅନେକ ନକଲି ଔଷଧ ମିଳୁଥିବା ନେଇ ଅଭିଯୋଗ ଆସୁଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଔଷଧ କମ୍ପାନୀ ଉପରେ ଚଢ଼ାଉ କରି ଔଷଧର ମାନ ଯାଞ୍ଚ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ | ଏହି ନିର୍ଦ୍ଦେଶ ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭାରତର ବିଭିନ୍ନ ରାଜ୍ୟରେ ଥିବା ଔଷଧ କମ୍ପାନୀମାନଙ୍କ ଉପରେ ଚଢ଼ାଉ କରିଥିଲା |

ଏହି ସମୟରେ ଜଣାପଡିଥିଲା ଯେ କିଛି କମ୍ପାନୀ ନକଲି ଔଷଧ ପ୍ରସ୍ତୁତ କରୁଥିବାବେଳେ ଆଉ କିଛି କମ୍ପାନୀ ଅଧିକ ମୂଲ୍ୟରେ ଔଷଧ ବିକ୍ରି କରୁଥିଲେ ବି ମାନ ସେତେ ଭଲ ନଥିଲା | ଖରାପ ମାନର ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଅଧିକ ଦାମରେ ଔଷଧ ବିକ୍ରି କରୁଥିବାର ଜଣାପଡିବା ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ୨୦ଟି ରାଜ୍ୟରେ ଯାଞ୍ଚ କରାଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା |

ପ୍ରାୟ ୧୫ ଦିନ ଧରି ଏହି ଚଢ଼ାଉ ଅଭିଯାନ ଚାଲିଥିବାବେଳେ ଆଜି ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି | ସେହିପରି ହିମାଚଳ ପ୍ରଦେଶର ୭୦ଟି, ଉତ୍ତରପ୍ରଦେଶରେ ୪୫ଟି ଏବଂ ମଧ୍ୟପ୍ରଦେଶର ୨୩ଟି କମ୍ପାନୀ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଔଷଧ ତିଆରି ନ କରିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର