ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ୬ ଘଣ୍ଟା ଜେରା କରିଛି। ଆଜି ପୂର୍ବାହ୍ନ ୯ଟା ୪୫ରେ ଦୀପିକା ଏନ୍‌ସିବିର ଏସ୍‌ଆଇଟି ଅଫିସରେ ପହଞ୍ଚିଥିଲେ। ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍‌ସିବି ଅଫିସରେ ପହଞ୍ଚିଥିଲେ। ଏନ୍‌ସିବିର ୫ ଜଣିଆ ସଦସ୍ୟବିଶିଷ୍ଟ ଟିମ୍‌ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିଥିଲା। ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ସେ ଡ୍ରଗ୍‌ସ ଚାଟ୍‌ କରିଥିଲେ ବୋଲି ଦୀପିକା ଏନ୍‌ସିବି ଆଗରେ ସ୍ବୀକାର କରିଛନ୍ତି। ୨୦୧୭ରେ ଦୀପିକା କରିସ୍ମାଙ୍କ ସହ ଡ୍ରଗ୍‌ସ ଚାଟ୍‌ କରିଥିଲେ ଏବଂ ଦୀପିକା ଏହି ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ଆଡ୍‌ମିନ ମଧ୍ୟ ଥିଲେ। ୨୦୧୭ରେ କୋକୋ କ୍ଲବ୍‌ରେ ଆୟୋଜିତ ଡ୍ରଗ୍‌ସ ପାର୍ଟିରେ ଦୀପିକା ସାମିଲ ହୋଇଥିବା ନେଇ ମଧ୍ୟ ଏନ୍‌ସିବି ଜେରା କରିଥିଲା। କିନ୍ତୁ ଦୀପିକ‌ାଙ୍କ କିଛି ଉତ୍ତରରେ ଏନ୍‌ସିବି ସନ୍ତୁଷ୍ଟ ହୋଇ ନଥିଲା। ସେହିଭଳି ଆଜି ଏନ୍‌ସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଶ୍ରଦ୍ଧା କପୁରଙ୍କୁ ୪ ଘଣ୍ଟା ଧରି ଜେରା କରିଛି।

Advertisment

ସାରା, ଶ୍ରଦ୍ଧାଙ୍କୁ ୪ ଘଣ୍ଟା ଜେରା, ଧର୍ମା ପ୍ରଡକ୍ସନ ମ୍ୟାନେଜର କ୍ଷିତିଜ ପ୍ରସାଦ ଗିରଫ

ଉଭୟ ଡ୍ରଗ୍‌ସ ସେବନ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘କେଦାରନାଥ’ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ସହ ଅଭିନୟ କରୁଥିବା ସମୟରେ ସାରା ଅଲ୍ଲୀ ଖାନ୍‌ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ସହ ଡ୍ରଗ୍‌ସ ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ସେ ଡ୍ରଗ୍‌ସ ସେବନ କରି ନଥିଲେ ବୋଲି ସାରା ଏନ୍‌ସିବିକୁ କହିଛନ୍ତି। ସୂଚନାଯୋଗ୍ୟ, ଏନ୍‌ସିବି ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟ ଶାହଙ୍କୁ ଜେରା କରିବା ବେଳେ ଏବଂ ଜୟ ଶାହଙ୍କ ହ୍ବାଟ୍‌ସ ଆପ୍‌ ଚାଟିଂ ଯାଞ୍ଚ କଲାବେଳେ ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ରକୁଲ୍‌ପ୍ରୀତ ସିଂହଙ୍କ ନାମ ଆସିଥିଲା। ଏମାନଙ୍କର ଡ୍ରଗ୍‌ସ ଲିଙ୍କ୍‌ ଥିଲା ବୋଲି ଏନ୍‌ସିବି ସୂଚନା ପାଇଥିଲା। ପ୍ରଯୋଜକ କରନ୍‌ ଜୋହରଙ୍କ ଧର୍ମ ପ୍ରଡକ୍ସନ ମ୍ୟାନେଜର କ୍ଷିତିଜ୍‌ ପ୍ରସାଦଙ୍କୁ ଆଜି ଏନ୍‌ସିବି ଗିରଫ କରିଛି। ୨୦୧୯ରେ ଡ୍ରଗ୍‌ସ ପାର୍ଟି ଆୟୋଜନ କରିଥିବା କରନ୍‌ ଜୋହରଙ୍କୁ ଏନ୍‌ସିବି ସମନ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।