ବଲିଉଡ୍‌ରେ ଡ୍ରଗ୍ସ: ଦୀପିକା, ସାରା, ରକୁଲ୍‌ପ୍ରୀତଙ୍କ ମୋବାଇଲ୍‌ ଜବତ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଅଭିନେତ୍ରୀ ଦୀପିକା ପାଦୁକୋଣ, ସାରା ଅଲ୍ଲୀ ଖାନ୍‌, ଓ ରକୁଲ୍‌ପ୍ରୀତ ସିଂହଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏହା ସହିତ ଏନ୍‌ସିବି ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟ ଶାହ ଏବଂ ଫ୍ୟାଶନ ଡିଜାଇନର ସିମୋନ୍‌ ଖମ୍ବଟ୍ଟାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି। ଜବତ ହୋଇଥିବା ମୋବାଇଲ୍‌ ଫୋନରୁ ବଲିଉଡ୍‌ରେ ଡ୍ରଗ୍‌ସ ଲିଙ୍କ୍‌ର ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଦୀପିକାଙ୍କୁ ଏନ୍‌ସିବି ଶନିବାର ୬ ଘଣ୍ଟା ଧରି ଜେରା କରିଥିଲା।

ଜେରା ସମୟରେ ଦୀପିକା ଦୁଇ ଥର ଭାଙ୍ଗି ପଡ଼ିଥିଲେ। ସେହିଭଳି ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଏନ୍‌ସିବି ୪ ଘଣ୍ଟା ଧରି ଜେରା କରିଥିଲା। ଏହା ପୂର୍ବଦିନ ରକୁଲ୍‌ପ୍ରୀତ ସିଂହଙ୍କୁ ‌ଜେରା କରାଯାଇଥିଲା। ସମସ୍ତେ ହ୍ବାଟ୍‌ସ ଆପ୍‌ରେ ଡ୍ରଗ୍‌ସ ଚାଟ୍‌ କରିଥିଲେ ବୋଲି ଏନ୍‌ସିବି ଆଗରେ ସ୍ବୀକାର କରିଥିଲେ। ଏହା ପୂର୍ବରୁ ଏନ୍‌ସିବି ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟ‌ା ଚକ୍ରବର୍ତ୍ତୀଙ୍କ ସମେତ ୧୬ ଜଣଙ୍କୁ ଗିରଫ କରିଥିଲା। ରିୟା ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଜେରା କରିବା ସମୟରେ ଦୀପିକା, ସାରା, ରକୁଲ୍‌ପ୍ରୀତ, ଶ୍ରଦ୍ଧା କପୁର ପ୍ରମୁଖଙ୍କ ନାମ ଆସିଥିଲା। ତେବେ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ବଲିଉଡ୍‌ର ୫୦ ଜଣ ଅଭିନେତା, ଅଭିନେତ୍ରୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କୁ ସମନ କରାଯାଇ ଜେରା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର