ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋଣ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ। ଗୋଆରେ ଏକ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଥିବା ଦୀପିକା ଆଜି ଅପରାହ୍ନରେ ଗୋଆ ଛାଡ଼ି ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ବଲିଉଡ୍ରେ ଡ୍ରଗ୍ସ କାରବାର ମାମଲାରେ ଏନ୍ସିବି ଦୀପିକା ପାଦୁକୋନ୍ଙ୍କ ସମେତ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରକୁଲ୍ ପ୍ରୀତ୍ ସିଂହ ଏବଂ ଫ୍ୟାସନ ଡିଜାଇନର ସମୋନ୍ ଖମ୍ବଟ୍ଟାଙ୍କୁ ସମନ କରିଥିଲା। ଦୀପିକା ଗୋଆରେ ଏକ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଥିଲେ। ନିର୍ଦ୍ଦେଶକ ସକୁନ ବାତ୍ରାଙ୍କ ଚଳଚ୍ଚିତ୍ର ସୁଟିଂ ଗୋଆରେ ହେଉଥିବାରୁ ଦୀପିକା ସେଠାରେ ଥିଲେ। ତେବେ ଏନ୍ସିବିର ସମନ ପାଇବା ପରେ ଆଜି ଅପରାହ୍ନରେ ଦୀପିକା ଫିଲ୍ମ ସୁଟିଂକୁ ଅଧାରୁ ଛାଡ଼ି ମୁମ୍ବାଇ ଅଭିମୁଖେ ବାହାରି ପଡ଼ିଛନ୍ତି।
ଦୀପିକା ଆସନ୍ତାକାଲି ଏନ୍ସିବିରେ ହାଜର ହେବେ। ସେହିଭଳି ସାରା ଅଲ୍ଲୀ ଖାନ୍ ମଧ୍ୟ ଗୋଆରେ ଥିଲେ। ସେ ବି ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ସାରା ଅଲ୍ଲୀ ତାଙ୍କ ମା’ ଅମ୍ରିତା ସିଂହ, ଭାଇ ଇବ୍ରାହିମ୍ ଅଲ୍ଲୀ ଖାନ୍ଙ୍କ ସହ ଆଜି ଅପରାହ୍ନରେ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ସାରା ଅଲ୍ଲୀ ୨୬ ତାରିଖ ଶନିବାର ଦିନ ଏନ୍ସିବିରେ ହାଜର ହେବେ। ସେହିଭଳି ଶ୍ରଦ୍ଧା କପୁର ମଧ୍ୟ ୨୬ରେ ଏନ୍ସିବିରେ ହାଜର ହେବେ ବୋଲି ଜଣାପଡ଼ିଛି। ଅପରପକ୍ଷେ, ରକୁଲ୍ ପ୍ରୀତ୍ ସିଂହ ଏ ଯାଏ ଏନ୍ସିବିର ସମନ ପାଇ ନାହାନ୍ତି ବୋଲି ତାଙ୍କ ମ୍ୟାନେଜର ଆଜି କହିଛନ୍ତି। ରକୁଲ୍ପ୍ରୀତ୍ ହାଇଦ୍ରାବାଦରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ଏହା ମଧ୍ୟରେ ରକୁଲ୍ପ୍ରୀତ୍ ହାଇଦ୍ରାବାଦରୁ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ରକୁଲ୍ପ୍ରୀତ୍ ଆଜି ଏନ୍ସିବିରେ ହାଜର ହେବାର ଥିଲା। ମାତ୍ର ସେ ସମନ ପାଇ ପାରି ନଥିବାରୁ ଆଜି ଏନ୍ସିବିରେ ହାଜର ହୋଇପାରି ନାହାନ୍ତି। ସୂଚନାଯୋଗ୍ୟ, ଏନ୍ସିବି ବଲିଉଡ୍ର ୫୦ ଜଣ ଅଭିନେତା, ଅଭିନେତ୍ରୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କୁ ଏନ୍ସିବି ଜେରା କରିବ ବୋଲି ସୂଚନା ମିଳିଛି।