କରୋନା ଭାଇରସ ପ୍ରଭାବ : ଫେବ୍ରୁଆରି ପରେ ଦେଶରେ ପାରାସିଟାମଲ, ଇବ୍ରୁପ୍ରୋଫେନ ପରି ଔଷଧର ଅଭାବ ଦେଖାଯିବ 

ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଅର୍ଥନୀତି ପାଇଁ ବିପଦ ଘନେଇ ଆସୁଛି । ଏହାକୁ ନେଇ ଭାରତୀୟ ଶିଳ୍ପଜଗତରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ଚୀନରୁ  ବାଣିଜ୍ୟକାରବାର ପ୍ରଭାବିତ ହୋଇଥିବାରୁ ଆଗାମୀ ଦିନରେ ଦେଶରେ ବିଭିନ୍ନ ଔଷଧର ଅଭାବ େଦେଖାଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଭାରତୀୟ ଶିଳ୍ପ ସଂଗଠନ ଫିକ୍କି ପକ୍ଷରୁ  କୁହାଯାଇଛି ଯେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଚୀନ ସହିତ କାରବାର ପ୍ରଭାବିତ ହୋଇଥିବାରୁ ଦେଶରେ ଆଗାମୀ ଦିନରେ ଅନେକ ଔଷଧର ଅଭାବ ଦେଖାଦେବ ଓ ମୂଲ୍ୟବୃଦ୍ଧି ହେବ । ବିଶେଷକରି ସ୍ଥିତିରେ ଉନ୍ନତି ନହେଲେ ଚଳିତ ମାସ ପରେ ଦେଶରେ ପାରାସିଟାମଲ, ଇବ୍ରୁପ୍ରୋଫେନ ଆଦି ସାଧାରଣ ଔଷଧର ଅଭାବ ଦେଖାଦେବ । ଏହାର କାରଣ ହେଉଛି ଏସବୁ ଔଷଧ ତିଆରିରେ ଲାଗୁଥିବା କଞ୍ଚାମାଲ ଚୀନରୁ ଆସିଥାଏ । କେତେକ କଞ୍ଚାମାଲ କରୋନା ଭାଇରସ ବ୍ୟାପିଥିବା ସହର ଉହାନରୁ ମଧ୍ୟ ଆସିଥାଏ । କିନ୍ତୁ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏବେ ଚୀନରୁ କୌଣସି ଜାହାଜ ଆସୁନାହିଁ । ତେବେ ସରକାର କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ଔଷଧ ଗଚ୍ଛିତ ରହିଛି । ଏଣୁ ବିବ୍ରତ ହେବାର କୌଣସି କାରଣ ନାହିଁ । କେବଳ ଔଷଧ ନୁହେଁ, ମୋବାଇଲ ଫୋନଗୁଡ଼ିକର ମଧ୍ୟ ମୂଲ୍ୟବୃଦ୍ଧି ହେବାର ସମ୍ଭାବନା ଦେଖାଗଲାଣି ।

ସମ୍ବନ୍ଧିତ ଖବର