ମୁମ୍ବାଇ: ମୁମ୍ବାଇ ଉପକୂଳରେ ବିଳାସପୂର୍ଣ୍ଣ ଜାହାଜରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢ଼ଉ କରି ଏନ୍ସିବି( ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହି ୩ ଜଣଙ୍କୁ ଗିରଫ ପରେ ଏନସିବି ମୁମ୍ବାଇର ଏକ ଅଦାଲତରେ ରବିବାର ସନ୍ଧ୍ୟାରେ ହାଜର କରିଥିଲା। ଏନସିବି ସେମାନଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଲୋଡ଼ିଥିଲା। କିନ୍ତୁ ଅଦାଲତ ଦିନିକିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥାତ୍ ଅକ୍ଟୋବର ୪ ପର୍ଯ୍ୟନ୍ତ ସେମାନେ ରିମାଣ୍ଡରେ ଯାଇଛନ୍ତି। ରିମାଣ୍ଡରେ ଯାଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଅର୍ବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧାମେଚା। ଏହି ମାମଲାରେ ଅଟକ ଥିବା ଅନ୍ୟ ୫ ବ୍ୟକ୍ତିଙ୍କ ସମେତ ଅଧିକ ବ୍ୟକ୍ତି ଗିରଫ ହେବା ସମ୍ଭାବନା ରହିଛି। ହ୍ବାଟ୍ସଆପ୍ ଚାର୍ଟକୁ ଆଧାର କରି ଏହି ଗିରଫ ହେବ ବୋଲି ଜଣାଯାଇଛି। କର୍ଡେଲିଆ କ୍ରୁଜ୍ସ’ ଏମ୍ପ୍ରେସ ଜାହାଜରେ ଏନସିବି ଚଢ଼ଉ କରିବା ସମୟରେ ନିଷିଦ୍ଧ ନିଶା ସାମଗ୍ରୀ ମଧ୍ୟ ଜବତ କରିଛି। ଏନ୍ଡିପିଏସ୍ ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ସେମାନେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ରେ ମାଦକ ଦ୍ରବ୍ୟ ସେବନ କରି ରେଭ୍ ପାର୍ଟିରେ ମଜ୍ଜି ରହିଥିବା ବେଳେ ଧରା ପଡ଼ିଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗତକାଲି ରାତିରେ ଅଚାନକ ଚଢ଼ଉ କରି ୮ ଜଣଙ୍କୁ ଧରିଥିଲେ। ସେମାନଙ୍କୁ ମୁମ୍ବାଇ ଅଣାଯାଇ ଅଟକ ରଖାଯିବା ସହ ପଚରା ଉଚରା ଚାଲିଥିଲା। ଅଭିଯୁକ୍ତଙ୍କ ନିକଟରୁ କମ୍ ପରିମାଣର ମାଦକ ଦ୍ରବ୍ୟ ମିଳିଥିଲେ ମଧ୍ୟ ଏନ୍ଡିପିଏସ୍ ଆଇନର ଧାରା ୨୭ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଛି।
ଏମ୍ପ୍ରେସ ଜାହାଜରେ ଯାତ୍ରୀମାନେ ଟିକଟ କରି ରେଭ୍ ପାର୍ଟିରେ ସାମିଲ ହୋଇଥିଲେ। କୌଣସି ସୂତ୍ରରୁ ସୂଚନା ପାଇଁ ଏନସିବି ଅଧିକାରୀମାନେ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନେତୃତ୍ବରେ ଅନ୍ୟ ଅଧିକାରୀମାନେ ଶନିବାର ଯାତ୍ରୀ ବେଶରେ କ୍ରୁଜ୍ରେ ପ୍ରବେଶ କରିଥିଲେ।
ଜାହାଜ ମୁମ୍ବାଇ ଉପକୂଳ ଛାଡ଼ିବାର କିଛି ସମୟ ମଧ୍ୟରେ ରେଭ୍ ପାର୍ଟି ଆରମ୍ଭ ହୋଇଯାଇଥିଲା। ଏହାପରେ ଏନସିବି ଅଧିକାରୀମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଥିଲେ। ଯେଉଁମାନେ ଖୋଲାଖୋଲି ନିଷିଦ୍ଧ ଡ୍ରଗ୍ସ ସେବନ କରୁଥିଲେ ସେମାନଙ୍କୁ ଏନସିବିର ଅଧିକାରୀମାନେ ଅଟକ ରଖିଥିଲେ। ଏନସିବିର ଏହି ଅଭିଯାନ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା। ଜାହାଜର ଅନେକ ରୁମ୍କୁ ଯାଞ୍ଚ କରାଯାଇଥିଲା। ଚଢ଼ଉ ପରେ ଏମ୍ପ୍ରେସ ଜାହାଜ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ୍ ଟର୍ମିନାଲକୁ ଫେରିଥିଲା। ଯାତ୍ରୀଙ୍କ ପାଇଁ ଟିକଟ ପିଛା ମୂଲ୍ୟ ୮୨ ହଜାର ଟଙ୍କା ଥିଲା।
ଏନ୍ସିବି କହିଛି, ଗତ ୧୫ ଦିନ ହେଲା ସେମାନେ ଏହି ସମ୍ଭାବ୍ୟ ପାର୍ଟି ସମ୍ପର୍କରେ ଖବର ପାଇ ଜାଲ ବିଛାଇଥିଲେ। ଗତକାଲି ରାତିରେ ସେମାନେ ଯାତ୍ରୀଙ୍କ ଭଳି କ୍ରୁଜ୍ରେ ପ୍ରବେଶ କରି ଚଢ଼ଉ କରି ସଫଳ ହୋଇଛନ୍ତି। ଗତକାଲି ରାତିରେ କ୍ରୁଜ୍ରେ ଚାଲିଥିବା ରେଭ୍ ପାର୍ଟିରେ ଦିଲ୍ଲୀର ୩ ଜଣ ଯୁବତୀଙ୍କ ସମେତ ୧୦ ଜଣ ସାମିଲ ଥିଲେ। ଏନ୍ସିବି ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଠାଇ ଆଣି ଆଜି ଅପରାହ୍ନରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆର୍ଯ୍ୟନ୍ଙ୍କ ସହ ଅର୍ବାଜ୍ ମର୍ଚେଣ୍ଟ ଓ ମୁନ୍ମନ ଧମେଚାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ ପୁନର୍ବାର ଏନ୍ସିବି କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହାପରେ ଅଦାଲତରେ ହାଜର କରାଯାଇଥିଲା।
କ୍ରୁଜ୍ କମ୍ପାନିର ଅଧିକାରୀଙ୍କ କହିବାନୁଯାୟୀ, ଯାତ୍ରୀମାନେ ଅନଲାଇନ୍ ପ୍ଲାଟଫର୍ମ ବୁକ୍ମାଇଁସୋ ମାଧ୍ୟମରେ ଟିକଟ କିଣିଥିଲେ। ଉକ୍ତ ପାର୍ଟିର ଆୟୋଜନ ଦିଲ୍ଲୀ ଭିତ୍ତିକ କମ୍ପାନି ନମାସ’ କ୍ରେ ଏକ୍ସପେରିଏନ୍ସ ପ୍ରାଇଭେଟ ଲିମିଟେଡ ଦ୍ବାରା ଆୟୋଜନ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତ ଲେନ୍ସ କଭରରେ ନିଷିଦ୍ଧ ନିଶା ସାମଗ୍ରୀ କୋକେନ୍ ନେଉଥିଲା।
ଗୁଜରାଟ ମାମଲାରୁ ନଜର ହଟାଇବା ପାଇଁ ନାଟକ: କଂଗ୍ରେସ
ପାନାଜୀ/ମୁମ୍ବାଇ: ଗୁଜରାଟର ମୁନ୍ଦା ବନ୍ଦରରେ କିଛିଦିନ ତଳେ ଜବତ ହୋଇଥିବା ୨୧ ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମାମଲାରୁ ନଜର ହଟାଇବା ପାଇଁ ଏନସିବି ମୁମ୍ବାଇର କ୍ରୁଜ୍ ଜାହାଜ ଉପରେ ଚଢ଼ଉ ଏବଂ କେତେକଙ୍କୁ ଗିରଫ ପଦକ୍ଷେପ ନେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମୁନ୍ଦ୍ରା ବନ୍ଦରରେ ଜବତ ହୋଇଥିବା ଡ୍ରଗ୍ସର ତଦନ୍ତ ସୁପ୍ରିମ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ପାଇଁ ଦଳ ଦାବି କରିଛି। ଉଲ୍ଲେଖଯୋଗ୍ୟ, ଗତମାସରେ ରାଜସ୍ବ ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଆରଆଇ) ୨୯୯୮.୨୧ କିଲୋର ହେରୋଇନ ଆଦାନି ଦ୍ବାରା ପରିଚାଳିତ ମୁନ୍ଦ୍ରା ବନ୍ଦରରେ ୨ଟି କଣ୍ଟେନରରୁ ଜବତ କରିଥିଲା। ଗତମାସରେ ହୋଇଥିବା ଏହି ଘଟଣା ଉପରୁ ନଜର ହଟାଇବା ପାଇଁ ବର୍ତ୍ତମାନ ଏପରି ପଦକ୍ଷେପ ନିଆଯାଇଛି। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ଅତୁଲ ଲୋନ୍ଧେ କହିଛନ୍ତି।
ଜାହାଜରେ କ’ଣ ଚାଲିଥିଲା?
ମୁମ୍ବାଇ: କର୍ଡେଲିଆ କ୍ରୁଜ୍ର ଏମ୍ପ୍ରେସ ସିପ୍ରେ ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ରେଭ୍ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ସାମିଲ ଲୋକମାନେ ସମୁଦ୍ର ଭିତରେ ନାଚ ଗୀତ ସହିତ ଖାନା ପିନାର ମଜା ନେବା ଆରମ୍ଭ କରିଦେଇଥିଲେ। କ୍ରୁଜ ଜାହାଜଟି ଉପକୂଳ ଛାଡ଼ିବାର ଅଳ୍ପ କିଛି ସମୟ ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁଯାୟୀ ସଙ୍ଗୀତ ଏବଂ ନାଚ ଆରମ୍ଭ ହୋଇଯାଇଥିଲା। ଏହି ପାର୍ଟି ପାଇଁ ପାଖାପାଖି ୧୦୦ ଟିକଟ ବିକ୍ରି ହୋଇଥିଲା। କିଛି ବ୍ୟକ୍ତିଙ୍କୁ ପାସ୍ ମାଧ୍ୟମରେ ଆୟୋଜକମାନେ ଏହି ପାର୍ଟିରେ ସାମିଲ ପାଇଁ ଅନୁମତି ଦେଇଥିଲେ। ଫେସନ ଟିଭି ଇଣ୍ଡିଆ ଏବଂ ଦିଲ୍ଲୀର କମ୍ପାନି ନମାସକ୍ରେ ଏକ୍ସପେରିଏନ୍ସ ପକ୍ଷରୁ ଉକ୍ତ ପାର୍ଟି ପରିଚାଳନା କରାଯାଉଥିଲା। ତେବେ ଏହି ପାର୍ଟି ପାଇଁ ଟିକଟର ଓଭରବୁକିଂ ହୋଇଥିଲା। ଫଳରେ କେତେକ ବ୍ୟକ୍ତି ଏଥିରେ ଯିବାରୁ ବାଦ୍ ପଡ଼ିଥିଲେ।
ଏନସିବି ୮ ଜଣଙ୍କୁ ଏହି ମାମଲାରେ ପ୍ରଥମେ ଆଣି ପଚରାଉଚରା କରିଥିଲା। ସେମାନେ ହେଲେ ମୁନମୁନ ଧମେଚା, ନୁପୂର ସାରିକା, ଇସମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଚୋକର, ଆର୍ୟନ ଖାନ୍ ଏବଂ ଅର୍ବାଜ୍ ମର୍ଚ୍ଚାଣ୍ଟ। ଏହି ଘଟଣା ପରେ ଏନସିବି ଅଧିକାରୀମାନେ ନଭି ମୁମ୍ବାଇର ଏକ ପ୍ରମୁଖ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳ ବେଲାପୁରରେ ମଧ୍ୟ ଚଢ଼ଉ କରିଛି। ରେଭ୍ ପାର୍ଟି ସହିତ ଏହି ଚଢ଼ଉର ସଂପର୍କ ରହିଥିବା କୁହାଯାଉଛି। ରେଭ୍ ପାର୍ଟିରେ ଚଢ଼ଉ ପରେ ଅଭିଯୁକ୍ତମାନଙ୍କୁ ଏନସିବି ଅଧିକାରୀମାନେ ଅଟକ ରଖି ପଚରାଉଚରା କରିଥିଲେ। ସେମାନେ ଡ୍ରଗ୍ସ ଯୋଗାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୁରାକ ଦେଇଥିଲେ। ତେଣୁ ଏନସିବି ଏବେ ଡ୍ରଗ୍ସ ପେଡଲରକୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଶାହରୁଖଙ୍କ ପୁଅ ଆର୍ୟନ ଡ୍ରଗ୍ସ କିଣିନାହାନ୍ତି ବୋଲି କହୁଛନ୍ତି। ତେବେ ସବୁ ଅଭିଯୁକ୍ତମାନଙ୍କର ମୋବାଇଲ ଫୋନ ସହିତ ଅନ୍ୟ ଇଲେକଟ୍ରୋନିକ୍ସ ଉପକରଣକୁ ଏନସିବି ଅଧିକାରୀମାନେ ଫରେନସିକ ଅଡିଟ୍ ପାଇଁ ନେଇଛନ୍ତି। ଆର୍ୟନଙ୍କ ମାମଲା କିଲ୍ଲା କୋର୍ଟରେ ବରିଷ୍ଠ ଆଇନଜୀବୀ ସତୀଶ ମନେସିନ୍ଦେ ପରିଚାଳନା କରିଛନ୍ତି। ପୂର୍ବରୁ ସେ ୨୦୨୦ ମସିହାରେ ରିୟା ଚକ୍ରବର୍ତ୍ତୀଙ୍କ ମାମଲା ଲଢ଼ିଥିଲେ।