ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ମାଫିଆଙ୍କ ସଂପର୍କକୁ ନେଇ ଚାଲୁଥିବା ଯାଞ୍ଚ ମଧ୍ୟରେ ଅଧିକ ସୂଚନା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁଭ ଚିତଗୋପେକରଙ୍କୁ ସମନ ପଠାଇଛି। ଦୀପିକାଙ୍କ ସହ କରିସ୍ମା ଡ୍ରଗ୍ସକୁ ନେଇ କରିଥିବା ହ୍ବାଟସଆପ ଚାଟ୍ ଭାଇରାଲ ହେବା ପରେ ପଚରାଉଚରା ପାଇଁ ଏନସିବି ଦୁହିଁଙ୍କୁ ଡକାଇଛି। ଆଜି ଅପରାହ୍ନରେ ଦୁହିଁଙ୍କୁ ଜେରା କରିବ ଏନସିବି ଟିମ୍।
ସୂଚନା ମୁତାବକ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା କରାଯାଇଥିବା ଡ୍ରଗ୍ସ ମାମଲାର ଯାଞ୍ଚ ବେଳେ ଡି,ଏନ୍, ଏସ, କେ (ଡି ଅର୍ଥାତ୍ ଦୀପିକା ପାଦୁକୋନ, ଏନ ଅର୍ଥାତ୍ ନମ୍ରତା ଶିରୋଦକର, ଏସ ଅର୍ଥାତ୍ ଶ୍ରଦ୍ଧା କପୁର ଏବଂ କେ ଅର୍ଥାତ୍ କରିସ୍ମା)ଙ୍କ ନାମ ଆସିଥିଲା | ସେଥିମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ସବୁଠାରୁ ବଡ ନାମ ହେଉଛି ଦୀପିକା ପାଦୁକୋନଙ୍କ ନାମ, ଯାହାଙ୍କ ନାମ ଡ୍ରଗ୍ସ ମାମଲାରେ ସାମିଲ ହୋଇଛି।
ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଏନସିବି ହାତରେ ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ଲାଗିଥିଲା, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଥିବା ଦେଖାଯାଇଥିଲା । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି ଅଛି କି?’ ଏହାର ଉତ୍ତରରେ କରିସ୍ମା କହୁଛନ୍ତି- ‘ହଁ … କିନ୍ତୁ ଘରେ। ମୁଁ ବାନ୍ଦ୍ରାରେ ଅଛି।’
ଏହା ଉପରେ କରିସ୍ମା ଅମିତ ନାମକ ଯୁବକଙ୍କ ନାମ ନେଇ କହୁଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି। ଏହା ଉପରେ ଦୀପିକା କହୁଛନ୍ତି- ‘ହଁ, ଦୟାକରି ପଠାଅ।’ କିଛି ସମୟ ପରେ କରିସ୍ମା କହୁଛନ୍ତି, ‘ଅମିତ ଦେବା ପାଇଁ ଗଲା।’ ଏହା ଉପରେ ଦୀପିକା ପଚାରୁଛନ୍ତି – ‘ହାସ୍ ଅଛି କି? କିନ୍ତୁ କରିସ୍ମା କହିଛନ୍ତି ଯେ ହାସ୍ ନୁହେଁ ଗଞ୍ଜେଇ ଅଛି।’