ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ, ଏନସିବି କହିଲା ୨୦ ବର୍ଷରେ ଏତେ ଡ୍ରଗ୍ସ ଜବତ ହୋଇନଥିଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ସବୁଠାରୁ ବଡ଼ ‘ପାର୍ଟି ଡ୍ରଗ୍ସ’ ସାମଗ୍ରୀ ଜବତ କରିଛି। ଏହି ଚଢ଼ାଉରେ ଏନସିବି ହଜାର ହଜାର କୋଟି ଟଙ୍କାର ଲାଇସର୍ଜିକ୍ ଏସିଡ୍ ଡାଇଥାଇଲାମାଇଡ (ଏଲଏସଡି) ଔଷଧ ଜବତ କରିଛି । ଏହାକୁ ଗତ ଦୁଇ ଦଶନ୍ଧିମଧ୍ୟରେ ଜବତ ହୋଇଥିବା ସବୁଠାରୁ ବିପୁଳ ପରିମାଣର ଡ୍ରଗ୍ସ ବୋଲି କୁହାଯାଉଛି । ଏନସିବିର ଏହି ଚଢ଼ାଉରେ ସାରା ଦେଶରେ ଥିବା ଏକ ଡ୍ରଗ୍ସ ସିଣ୍ଡିକେଟ୍ ପଦାକୁ ଆସିଛି। ଚଢାଉ ସମୟରେ ଅନେକ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଏହି ଚଢ଼ାଉ ସମ୍ପର୍କରେ ଏନସିବି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ଏହା ଦୁଇ ଦଶନ୍ଧି ମଧ୍ୟରେ ଜବତ ହୋଇଥିବା ସବୁଠାରୁ ବଡ଼ ପରିମାଣର ଡ୍ରଗ୍ସ । ଡିଡିଜି ଏନସିବି ଜ୍ଞାନେଶ୍ୱର ସିଂ କହିଛନ୍ତି ଯେ ଏଲଏସଡି ଆଜିକାଲି ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ, କିନ୍ତୁ ଏହା ବହୁତ ବିପଜ୍ଜନକ । ପ୍ରାୟ ୧୫ ହଜାର ବ୍ଲଟ୍ ( ଡ୍ରଗ୍ସ ସେବନକାରୀଙ୍କ ମଧ୍ୟରେ ପ୍ରଚଳିତ ଏକ ବିପୁଳ ପରିମାଣ) ଜବତ ହୋଅଛି ଓ ୬ ଜଣ ଗିରଫ ହୋଇଛନ୍ତି । ବିଦେଶ ଓ ସାରା ଦେଶରେ ଏହି ସିଣ୍ଡିକେଟର ଲିଙ୍କ୍ ରହିଛି । ଏହା ସହିତ  ବିଭିନ୍ନ ରାଜ୍ୟରେ ଏହାର ନେଟଓ୍ବାର୍କ ରହିଛି ।  ଧରାପଡ଼ିଥିବା ବ୍ୟକ୍ତିମାନେ ଉଚ୍ଚଶିକ୍ଷିତ ଏବଂ ଡ୍ରଗ୍ସ ସେବନକାରୀ ଯୁବକ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ନିଶା ଔଷଧର ଏକ ବଡ଼ ଉପଭୋକ୍ତା ଦେଶରେ ପରିଣତ ହୋଇଚାଲିଛି । ଡାର୍କ ନେଟ୍, କ୍ରିପ୍ଟୋକରେନ୍ସି ଓ ବିଦେଶୀ ଡାକଘର ମାଧ୍ୟମରେ ଏହି ବ୍ୟବସାୟ ଚାଲୁଛି ।

ସମ୍ବନ୍ଧିତ ଖବର